ଚିକିତ୍ସାରେ ଅବହେଳା ଦର୍ଶାଇ ହସ୍ପିଟାଲରୁ ଦାଦାବଟି ଆଦାୟ, କିନ୍ନର ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ବର: ଚିକିତ୍ସାରେ ଅବହେଳା ଦର୍ଶାଇ ରାଜଧାନୀର ଏକ ଜନାଶୁଣା ହସ୍ପିଟାଲଠାରୁ ଜୋରଜବରଦସ୍ତ ଦାଦାବଟି ଆଦାୟ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ କିନ୍ନରକୁ ଗିରଫ କରିଛି । ସେ ହେଲେ ମହାରାଷ୍ଟ୍ର ରାଇଗଡ଼ର ସଚିନ ଲରେନ୍ସ ଏଲେନଜିକାଲ (୨୭) । ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ସଚିନ ଗତ ୨୩ ତାରିଖରେ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା କହି ନାଲକୋ ଛକ ସ୍ଥିତ କଳିଙ୍ଗ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯୌନାଙ୍ଗ ଅପରେସନ ହୋଇଥିବାରୁ ସେ ଯନ୍ତ୍ରଣା ଅନୁଭବ କରୁଥିବା ହସ୍ପିଟାଲ ଡାକ୍ତରଙ୍କୁ ଜଣାଇଥିଲେ । ଏହା ପରେ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ପରଦିନ କିନ୍ନର ଜଣଙ୍କ ଚିକିତ୍ସାରେ ଅବହେଳା ହେଉଥିବା ନେଇ ମେଡିକାଲ କତୃପକ୍ଷଙ୍କୁ ରୋକଠୋକ କହିଥିଲେ ।

ଖାଲି ଏତିକି ନୁହେଁ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆଣି ହସ୍ପିଟାଲ କତୃପକ୍ଷଙ୍କୁ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ । ଜୋରଜବରଦସ୍ତ ମେଡିକାଲରୁ ୮୦ ହଜାର ଟଙ୍କା ଉଠାଇ ନେଇଥିଲେ । ଘଟଣା ସମ୍ପର୍କରେ ହସ୍ପିଟାଲ କତୃପକ୍ଷ ଚନ୍ଦ୍ରେଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଚଢ଼ଉ କରି କିନ୍ନରକୁ ଗିରଫ କରିଥିଲା ।

ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ଚିକିତ୍ସାରେ ଅବହେଳା ହେଉଥିବା କହି ସମାନ ଢ଼ଙ୍ଗରେ କିନ୍ନର ଜଣଙ୍କ ପୂର୍ବରୁ କେୟାର ହସ୍ପିଟାଲ ଓ ନୟାପଲ୍ଲୀରେ ଥିବା ହେଲଥ ଭିଲେଜ ହସ୍ପିଟାଲରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଦାଦାବଟି ଉଠାଇଥିଲା । ତେବେ ଅଭିଯୁକ୍ତ ଜଣଙ୍କ ଓଡିଶାରେ ଏକାକି ଟଙ୍କା ହଡପ କରୁଥିଲେ ନା ଏଥିରେ କୌଣସି ରାକେଟ କାମ କରୁଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।


ସେୟାର କରନ୍ତୁ