ଦାଦାବଟି ନ ଦେବାରୁ ମହିଳାଙ୍କୁ ଆକ୍ରମଣ: ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପ୍ରତି ମାସରେ ମୋର ୧୦ ହଜାର ଟଙ୍କା ଦରକାର । ନ ଦେଲେ ତୋତେ ଦେଖି ନେବି, ଏଭଳି ଧମକଚମକ ଦେଉଥିଲେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । କିନ୍ତୁ ମହିଳା ବ୍ୟବସାୟୀ ଜଣଙ୍କ ଏହାକୁ ଖାତିର ନକରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ମଞ୍ଚେଶ୍ୱର ଥାନା ପୁଲିସ ଚଢ଼ଉ କରି ଅପରାଧୀ ଦୀପୁ ପରିଡାକୁ ଗିରଫ କରିବାରେ ସଫଳ ହୋଇଛି । ତା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ମଞ୍ଚେଶ୍ୱର ଥାନା ନିକଟସ୍ଥ ଧିରୁକୁଟି ସାହିରେ ମୀନତୀ ମିଶ୍ର ନାମ୍ନୀ ଜଣେ ମହିଳା ଏକ ରାସନ ଦୋକାନ କରିଛନ୍ତି । ରଙ୍ଗମାଟିଆର ଦୀପୁ ପରିଡା ମହିଳାଙ୍କ ଦୋକାନରୁ ବହୁ ରାସନ ସାମଗ୍ରୀ ନିଏ ହେଲେ ଟଙ୍କା ଦିଏ ନାହିଁ । ବରଂ ପ୍ରତି ମାସରେ ୧୦ ହଜାର ଟଙ୍କା ମହିଳାଙ୍କୁ ବଟି ମାଗେ । ଏହାକୁ ନେଇ ମୀନତୀ ଓ ଦୀପୁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ରବିବାର ବିଳମ୍ବିତ ରାତିରେ ଦୀପୁ ଓ ତାର ଅନ୍ୟ ସହଯୋଗୀମାନେ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଦୁଇଟି ବାଇକ୍‍କୁ ନେଇଯାଇଥିଲେ । ମୀନତୀ ଘଟଣାସ୍ଥଳରେ ପହଞ୍ଚି ଦୀପୁକୁ ବିରୋଧ କରିବାରୁ ସେ ଉତ୍‍କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲା । ଏନେଇ ମୀନତୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ଦୀପକୁ ଗିରଫ କରିବା ସହ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ।


ସେୟାର କରନ୍ତୁ