କାମକୁ ଆସୁନି ପରୀ ସଚେତନତା କାର୍ଯ୍ୟକ୍ରମ…ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ, ବୃଦ୍ଧ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ନାବାଳିକା ପ୍ରତି ଯୌନ ନିର୍ଯାତନା ନେଇ ପୁଲିସ ଯେତେ ସଚେତନ କଲେ ମଧ୍ୟ ଅପରାଧୀମାନେ ଏସବୁକୁ ଖାତିର କରୁନଥିବା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନାବାଳିକା ସୁରକ୍ଷା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ଓଡିଶା ପୁଲିସ ପକ୍ଷରୁ ଚାଲିଛି ପରୀ ରଥ କାର୍ଯ୍ୟକ୍ରମ । ଯାହାର ଉଦେଶ୍ୟ ହେଲା ନାବାଳିକାକୁ ସୁରକ୍ଷା ଦେବା ଓ ତାଙ୍କର ସମ୍ମାନ ରଖିବା । ଗୋଟେ ପଟେ ରାଜ୍ୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜଧାନୀରେ ପୁଣି ଜଣେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମର ଶୀକାର ହୋଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ୬୨ ବର୍ଷର ବୃଦ୍ଧକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ଅରୁଣ ନାୟକ । ଅରୁଣ ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ବସ୍ତିରେ ଭଡ଼ାରେ ରହି ଆସୁଥିଲା ।

ସୂଚନାଯୋଗ୍ୟ, ଅରୁଣ ରହୁଥିବା ଘର ଆଗରେ ରହୁଥିଲେ ଜଣେ ଭିନ୍ନକ୍ଷମ ନାବାଳିକା । ରବିବାର ସନ୍ଧ୍ୟା ୫ଟା ସମୟରେ ନାବାଳିକାଙ୍କ ଘରେ ତାଙ୍କ ମାଆ ବାପା ନଥିବା ସମୟରେ ଅରୁଣ ଭିନ୍ନକ୍ଷମ ନାବାଳିକାକୁ ତାଙ୍କ ଘରକୁ ଚକଲେଟ ଦେବାକୁ ଡାକି ଦୁଷ୍କର୍ମ କରିଥିଲା । ସେହି ସମୟରେ ନାବଳିକାର ମାଆ ଘରକୁ ଆସି ଦେଖିଲା ଯେ ଝିଅ ଘରେ ନାହିଁ । ଚାରିଆଡ଼େ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ଝିଅକୁ ପାଇନଥିଲେ ।

କିଛି ସମୟ ପରେ ଝିଅ ପଡୋଶୀ ଘରୁ ବାହାରିଥିବା ଦେଖିବାକୁ ପାଇଥିଲେ । ଝିଅ କଷ୍ଟ ଅନୁଭବ କରୁଥିବାରୁ ପରିବାର ଲୋକେ ତାକୁ ପଚାରି ସବୁ କଥା ବୁଝିଥିଲେ । ଅରୁଣ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ଶୁଣିବାକୁ ପାଇଥିଲେ । ଏଥିରୁ ବସ୍ତିର ଲୋକେ ଉତକ୍ଷିପ୍ତ ହୋଇ ଅରୁଣକୁ ନିର୍ଧୁମ ଛେଚିଥିଲେ । ଏ ନେଇ ନାବାଳିକାର ମାଆ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି ।


ସେୟାର କରନ୍ତୁ