ହଣାକଟା ଗ୍ୟାଙ୍ଗ ଠାବ, ଦୁଇ ଦୁର୍ଦ୍ଦାନ୍ତ ଡ଼କାୟତ ଗିରଫ… ୨ଟି କାର, ୮ଟି ବାଇକ ଓ ଖଣ୍ଡା ଜବତ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ଦୁଇ ଏବଂ ଚାରି ଚକିଆ ଗାଡ଼ି ଚାଳକଙ୍କ ପାଇଁ ଅତଙ୍କ ସୃଷ୍ଟି କରିଥିବା ଏକ ହଣାକଟା ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଟିମ ଓ ଖଣ୍ଡଗିରି ପୁଲିସ । ଗ୍ୟାଙ୍ଗର ଦୁଇ ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସେମାନେ ହେଲେ ଆଇଗିଣିଆର କୃଷ୍ଣ ଦାସ ଓ ରଘୁନାଥ ନଗରର ବରୁଣ ପାତ୍ର । ସେମାନଙ୍କଠାରୁ ଦୁଇଟି କାର, ୮ଟି ବାଇକ୍, ୧୦ଟି ମୋବାଇଲ ଫୋନ ଓ ଦୁଇଟି ଖଣ୍ଡା ଜବତ କରିଛି ପୁଲିସ ।

ଦୀର୍ଘଦିନ ହେବ ଏହି ଗ୍ୟାଙ୍ଗର ସଦସ୍ୟମାନେ ଜୟଦେବ ବିହାର ଓ ଯାଆଁଳା ଦେଇ ଯାଇଥିବା ଜାତୀୟ ରାଜପଥରେ ରଚିଥିଲେ ଆତଙ୍କ । ରାତି ହେଉ ବା ଦିନ ଏହି ଗ୍ୟାଙ୍ଗର ସଦସ୍ୟମାନେ ମୁଖ୍ୟତଃ ଦୁଇ ଓ ଚାରି ଚକିଆ ଗାଡ଼ିକୁ ଟାର୍ଗେଟ କରି ଆସୁଥିଲେ । ଲୁଟପାଟ ପାଇଁ ପ୍ରଥମେ ଗାଡ଼ିକୁ ପିଛା କରିବା ପରେ ଗାଡ଼ି ଚାଳକଠାରୁ ଜୋର ଜବରଦସ୍ତ ଗାଡ଼ି ଛଡ଼େଇ ନେବା ସେମାନଙ୍କର ପେସା ଥିଲା । କେହି କିଛି ବିରୋଧ କଲେ ଅଭିଯୁକ୍ତମାନେ ସିଧାସଳଖ ଖଣ୍ଡାରେ ସେମାନଙ୍କୁ ହାଣି ପକାଉଥିଲେ ।

ଭାରତପୁରର ଦିନେଶ ମହାକୁଡ଼ଙ୍କ ହୁଣ୍ଡାଇ ଆଇ-୧୦ କାରଟି ଓବେର କମ୍ପାନୀରେ ଲାଗିଥିଲା । ୫ ତାରିଖ ଭୋରୁ ଜଣେ ଯୁବକ ତାଙ୍କୁ ଫୋନ କରି ଗାଡ଼ି ଭଡା ନେବାକୁ ଡାକି ତାଙ୍କୁ ତପୋବନ ହାଇସ୍କୁଲ ନିକଟରେ ହାଣି କାର ନେଇ ଚମ୍ପଟ ମାରିଥିଲେ । ସେହଭଳି ଜୁନ ୨୦ ତାରିଖ ବିଳମ୍ବିତ ରାତିରେ ସୌମ୍ୟଶେଖର ଓ ତାର ସାଙ୍ଗଙ୍କୁ ଦୁର୍ବୃତମାନେ ହାଣି ବାଇକ ଲୁଟି ନେଇ ପଳାଇଥିଲେ । ସେହିଭଳି ଗଙ୍ଗପଡା ଟୋଲ ଗେଟ ସମ୍ମୁଖରେ ଜଣେ ସ୍କୁଟି ଆରୋହୀଙ୍କୁ ଦୁର୍ବୃତମାନେ ହାଣି ସ୍କୁଟି ନେଇ ଚମ୍ପଟ ମାରିଥିଲେ ।

ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଅପରାଧୀଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡକୁ ତଦନ୍ତ ଭାର ଦିଆଯାଇଥିଲା । ଖଣ୍ଡଗିରି ପୁଲିସର ସାହାଯ୍ୟ ନେଇ ଅଭିଯୁକ୍ତଙ୍କ ପ୍ରତିଟି ଗତିବିଦ୍ଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା ସ୍ପେଶାଲ ସ୍କ୍ୱାଡ୍ । ଇତିମଧ୍ୟରେ ପୁଲିସ କନ୍ଧମାଳ, ଫୁଲବାଣୀ ଓ ସୋନପୁର ଅଚଂଳରେ ଚଢ଼ଉ କରି ଦୁର୍ବୃତମାନଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକଙ୍କ ନାଁରେ ଖଣ୍ଡଗିରି, ନୟାପଲ୍ଲୀ, ଜଟଣୀ, ଚନ୍ଦ୍ରଶେଖରପୁର ଥାନାମାନଙ୍କରେ ୨୦ରୁ ଊଦ୍ଧ୍ୱର୍ ମାମଲା ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।


ସେୟାର କରନ୍ତୁ