ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

ଅପରାଧ ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ-ରିପୁରଞ୍ଜନ ବିଶ୍ୱାଳ

ପରଜଙ୍ଗ: ମୃତ୍ୟୁ କେତେବେଳେ ବା କାହା ପାଖକୁ କେମିତି ଆସିଥାଏ, ତାହା କେହି ଜାଣି ନଥାନ୍ତି । ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ହୋଇଛି ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ । ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଟାଙ୍ଗିଆରେ ହାଣିଛି ଜ୍ୱାଇଁ । ଯାହାଫଳରେ ତାଙ୍କୁ ବେକ ଓ ଜଙ୍ଘରେ ଗଭୀର କ୍ଷତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଭାବେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗାଁର ପର୍ଶୁରାମ ବାରିକ । ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ମୁତାବକ,10 ବର୍ଷ ତଳେ ମୃତ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ 30 ହଜାର ଟଙ୍କା ଦେଇଥିଲେ । ତେବେ ବିବାହ ପରଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲି ଆସୁଥିଲା । ଯାହାକୁ ନେଇ ପର୍ଶୁରାମ ଝିଅ ଜ୍ବାଇଁକୁ ବୁଝାଇ ଆସୁଥିଲେ ।

ତେବେ ଗତ କାଲି ରାତିର ଘଟଣା ଥିଲା ଭିନ୍ନ । ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ରମଣ ରଚିଥିଲା ଏକ ବଡ଼ ଯୋଜନା । ମାତ୍ର ଏସବୁର ସୁରାକ ପାଇ ବାପା ଘର ଲୋକଙ୍କୁ ଖବର ଦେଇଥିଲା ଝିଅ । ଏକ ଫାଶିର ଦଉଡି ଝୁଲାଇ ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ଜଗି ବସିଥିଲା ଜ୍ୱାଇଁ ରମଣ । ଯାହାକୁ ନେଇ ଶ୍ୱଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ଅର୍ଥାତ ବିଳମ୍ବିତ ରାତିରେ ରକ୍ତପାତର ରୂପ ନେଇଥିଲା । ରମଣର ଟାଙ୍ଗିଆ ଚୋଟରେ ଶ୍ୱଶୁର ପର୍ଶୁରାମ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ଏ ନେଇ ମହାବିରୋଡ଼ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଦେଇଛି ।


ସେୟାର କରନ୍ତୁ