ରେଳବାଇ ଚାକିରି ଦେବା ନାଁରେ ଠକେଇ, ଜେଲ ଗଲେ ୩ ଦଲାଲ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରେଳବାଇରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପାଟକୁରାର ସୁପ୍ରକାଶ ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ଛତ୍ରପୁରର ସନ୍ତୋଷ ବିଶ୍ୱାଳ ଓ ସାଲେପୁରର ସ୍ୱରୂପ ମିଶ୍ର । ସେମାନଙ୍କୁ ଶନିବାର ବିଳମ୍ବିତ ରାତିରେ ସ୍ପେଶାଲ ସ୍କ୍ୱାଡ଼ ଗିରଫ କରି ସହିଦନଗର ପୁଲିସ ନିକଟରେ ଜିମା ଦେଇଥିଲେ । ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଠକେଇ ଘଟଣାରେ ଆଉ ୫ରୁ ୧୦ଜଣ ଯୁବକଙ୍କ ସଂପୃକ୍ତି ଥିବାରୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସହିଦନଗର ପୁଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ସହିଦନଗର ଥାନା ସାଇମନ୍ଦିର ନିକଟରେ ପାଟକୁରାର ସୁପ୍ରକାଶ ଓ ତାରଙ୍କ ଅନ୍ୟ ଜଣେ ସହଯୋଗୀ ୟୁନିଭର୍ସାଲ ରେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା କରିଥିଲେ । ଏହି ସଂସ୍ଥାରେ ଛତ୍ରପୁରର ସନ୍ତୋଷ ଓ ସାଲେପୁରର ସ୍ୱରୂପ ଓ ତାରଙ୍କ ଅନ୍ୟ ସହଯୋଗୀ କାମ କରୁଥିଲେ । ବିଭିନ୍ନ ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ରେଳବାଇ ଚାକିରି ଦେବାକୁ କହି ସେମାନେ ଆକୃଷ୍ଟ କରୁଥିଲେ ।

ଗଞ୍ଜାମ ଜିଲ୍ଲା ଖଲିକୋଟର ଦୀପକ କୁମାର ମିଶ୍ରଙ୍କୁ ଚାକିରି କରାଇ ଦେବାକୁ କହି ଦଲାଲ ସନ୍ତାଷ ଭୁବନେଶ୍ୱର ଡାକିଥିଲେ । ରେଳବାଇରେ ଗାର୍ଡ ଭାବେ କାମ କଲେ ତୁମକୁ ୨ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡିବ ବୋଲି କହିଥିଲେ । ଏହାଛଡ଼ା ପ୍ରଥମେ ୫୦ ହଜାର ଟଙ୍କା ଦିଅ, ପରେ ତୁମର ନିଯୁକ୍ତିପତ୍ର ପାଇବା ପରେ ଅବଶିଷ୍ଟ ଟଙ୍କା ଦେବ ବୋଲି ଆବେଦନକାରଙ୍କୁ କହିଥିଲେ । ଦୀପକ ଏଥିରେ ରାଜି ହୋଇ ୪୦ ହଜାର ଟଙ୍କା ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଯୁକ୍ତିପତ୍ର ମିଳିବାରେ ବିଳମ୍ବ ହେବାରୁ ସେ ଦଲାଲ ସନ୍ତୋଷ ପାଖକୁ ଯୋଗାଯୋଗ କରିଥିଲେ । ହେଲେ ଆଜି ମିଳିବ, କାଲି ମିଳିବ ଏବଂ ପୋଷ୍ଟାଲରେ ଯାଇଛି କହି ଦଲାଲ ସମୟ ଗଡ଼ାଇଥିଲେ । ଶେଷରେ ଦୀପକ ନିରାଶ ହୋଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସ୍ପେଶାଲ ସ୍କ୍ୱାଡ଼ ଚଢ଼ଉ କରି ଦଲାଲମାନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ।


ସେୟାର କରନ୍ତୁ