କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟପାଟ ମହଙ୍ଗା ପଡିଲା…୬ ଆନ୍ତଃରାଜ୍ୟ ଲୁଟେରା ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟପାଟ କରି ଆତଙ୍କ ସୃଷ୍ଟି କରିଥିବା ୬ ଜଣ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି ବାରଙ୍ଗ ଥାନା ପୁଲିସ । ଲୁଟେରାମାନେ ହେଲେ ଯାଜପୁର ଜିଲ୍ଲା କଳିଙ୍ଗନଗରର ଦିପୁ ପିଙ୍ଗୁଆ, କଟକର ସରୋଜ ଦାସ ଓରଫ ବାବୁ, କଟକ ଜଗତପୁରର ଅମୀରା ନାୟକ, ଅଶୋକ ସାହୁ ଏବଂ ଜଣେ ନାବାଳକ । ସେମାନଙ୍କ ନିକଟରୁ ପୁଲିସ ୮ଟି ମୋଟର ସାଇକେଲ ଓ ୧୬ଟି ଦାମି ମୋବାଇଲ ଫୋନ ଜବତ କରିଛି ।

ଗିରଫ ଲୁଟେରାମାନଙ୍କ ନାଁରେ ଜଗତପୁର, ବାରଙ୍ଗ, ନନ୍ଦନକାନନ, କିଷନନଗର, ଯାଜପୁର ଆଦି ବିଭିନ୍ନ ଥାନାମାନଙ୍କରେ ଲୁଟପାଟ ଭଳି ଅନେକ ମାମଲା ରହିଛି । ସେମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ମଧୁସୂଦନ ସାହୁ ନାମକ ଯୁବକ ମୋଟର ସାଇକେଲ (ଓଡି-୩୩ କ୍ୟୁ-୭୭୮୪)କୁ ପୁରୀ କେନାଲ ରୋଡ଼ ଦାଢ଼ପାଟଣାଠାରେ ରଖିଥିଲେ । ସେ କାମ ସାରି ଆସିବା ବେଳକୁ ଲୁଟେରାମାନେ ତାଙ୍କ ଗାଡିକୁ ନେଇ ପଳାଇଥିଲେ । ଏନେଇ ଶ୍ରୀ ସାହୁ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । କମିଶନରେଟ ପୁଲିସ ବାରଙ୍ଗ ଥାନା ଅଞ୍ଚଳରେ ବ୍ଲକିଂ କରି ଗାଡିଗୁଡିକୁ ଯାଞ୍ଚ କଲାବେଳେ ଅଭିଯୁକ୍ତ ଦୀପୁ ପୁଲିସ ହାବୁଡ଼ରେ ପଡିଥିଲେ । ପୁଲିସ ବାବୁମାନେ ତାଙ୍କୁ ଗାଡିର କାଗଜପତ୍ର ମାଗିଥିଲେ । ହେଲେ ସେ ଦେଇ ନପାରିବାରୁ ପୁଲିସ ଦୀପକୁ ଥାନାକୁ ନେଇ ପଚରାଉଚରା କରିଥିଲା । ସେ ଗାଡିଟିକୁ ଲୁଟ କରିବା ସହ ଗ୍ୟାଙ୍ଗର ଅନ୍ୟ ୫ଜଣଙ୍କ ବିଷୟରେ ପୁଲିସକୁ କହିଥିଲା । ଅନ୍ୟ ୫ ଜଣଙ୍କୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଧରିଥିଲା ।

ଏହି ଲୁଟେରା ଗ୍ୟାଙ୍ଗ କଟକ-ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ମୋବାଇଲ ଓ ବାଇକ ଲୁଟପାଟ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ କମ ମୂଲ୍ୟରେ ବିକ୍ରି କରୁଥିଲେ । ଏହାଛଡ଼ା ଏମାନଙ୍କ ନାଁରେ ସଦର ଥାନା, ବାଲିପାଟଣା, ବାଲିଅନ୍ତା, ପୁରୀ, ଜଗତସିଂହପୁର, ବାରଙ୍ଗ, ମଧୁପାଟଣା, ଯାଜପୁର, କଳିଙ୍ଗନଗର ଆଦି ଥାନାମାନଙ୍କରେ ୧୦ରୁ ଊଦ୍ଧ୍ୱର୍ ମାମଲା ରହିଛି ।


ସେୟାର କରନ୍ତୁ