ସାମାନ୍ୟ ବଚସାରୁ ଜିମ୍ ଟ୍ରେନରଙ୍କୁ ପିଟି ପିଟି ହତ୍ୟା: ମା’ପୁଅ ଅଟକ…ଜାତୀୟ ରାଜପଥ ଅବରୋଧ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ସାମାନ୍ୟ ବଚସାରୁ ଜଣେ ଜିମ୍ ଟ୍ରେନରଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ଏୟାରଫିଲ୍ଡ ଥାନା ଅଚଂଳରେ ଚହଳ ପକାଇଛି । ଘଟଣାର ଛାନଭିନ କରି ପୁଲିସ ସଂପୃକ୍ତ ମା’ ଓ ପୁଅ ପପି ସାହୁଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରୁଛି । ହତ୍ୟା ଘଟଣାରେ ବାହାଦଲପୁର ଗ୍ରାମର ସଂପୃକ୍ତ ଅନ୍ୟ ୨୦ଜଣ ଯୁବକଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି ।

ଅନ୍ୟପଟରେ ଜିମ୍ ଟ୍ରେନର ଜ୍ୟୋତିରଞ୍ଜନ ବଳିୟାରସିଂହ ଓରଫ ଟିଟନଙ୍କ ମୃତ୍ୟୁକୁ ନେଇ ଅଚଂଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଗାଁ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଶହଶହ ସମର୍ଥକ କ୍ଷତିପୂରଣ ଦାବି କରିବା ସହ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ ଦାବିରେ ଗତକାଲି ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଡିସିପି ଅନୁପ ସାହୁ, ଜୋନ ଏସିପି ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଚିଂ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ପୁରୀ ଜିଲ୍ଲା ଗୋଡାବଜାରର ଟିଟନ(୨୬) ଖଣ୍ଡଗିରି ରଘୁନାଥନଗର ସ୍ଥିତ ମାମୁଁଘରେ ରହି ପାଠ ପଢୁଥିଲେ । ଏଥିସହ ସେ ଜାଗମରାରେ ଥିବା ଏକ ଜିମ୍ ସେଣ୍ଟରରେ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ । ରବିବାର ଟିଟନ ଜଣେ ସାଙ୍ଗଙ୍କ ବାହାଘରରେ ଯୋଗ ଦେବା ପାଇଁ ବଡ଼ଗଡ଼ ଯାଇଥିଲେ । ସେହିଦିନ ରାତିରେ ବାହାଘର ଭୋଜିସାରି ସେ ଓ ତାଙ୍କର ଦୁଇ ସାଙ୍ଗ ମିଶି ବାହାଦଲପୁର କେନାଲ ନିକଟରେ ମଦ୍ୟପାନ କରିଥିଲେ । ସେହି ସମୟରେ ବାହାଦଲପୁରର ପପି ସାହୁ ତାଙ୍କ ମା’ଙ୍କୁ ବାଇକରେ ଧରି ଘରକୁ ଫେରୁଥିଲେ । ଟିଟନ ରଖିଥିବା ଗାଡିରେ ତାଙ୍କ ଗାଡି ବାଜିଯିବାରୁ ଏହା ତଳେ ପଡିଯାଇଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେବାରୁ ଟିଟନ ରାଗିଯାଇ ପପିଙ୍କ ମା’ଙ୍କୁ ମାଡ ମାରିଥିଲେ ।

ପ୍ରତିଶୋଧ ପରାୟଣ ହୋଇ ପପି ଗ୍ରାମର କିଛି ଯୁବକଙ୍କୁ ଘଟଣାସ୍ଥଳକୁ ଡ଼ାକିଥିଲେ । ଖବର ପାଇ ଗ୍ରାମର ୨୦ରୁ ୩୦ଜଣ ଯୁବକ ଆସି ପହଚିଂଥିଲେ । ଏହାଦେଖି ଟିଟନଙ୍କ ଦୁଇ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ହେଲେ ଟିଟନ ଜଣେ ବାଉନସର ହୋଇଥିବାରୁ ସେ ସେଠାରୁ ଯାଇନଥିଲେ । କେହି କିଛି ବୁଝିବା ଆଗରୁ ଯୁବକମାନେ ଘଟଣାସ୍ଥଳରେ ହିଁ ଟିଟନଙ୍କୁ ପିଟି ପିଟି ଲହୁଲୁହାଣ କରି ଦେଇଥିଲେ । ଖବର ପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଚିଂ ଟିଟନକୁ କ୍ୟାପିଟାଲ ହସ୍ପିଟାକୁ ନେଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପର ଦିନ ଟିଟନକୁ ହତ୍ୟା କରାଯାଇଥିବା ଖବର ପାଇ ଶତାଧିକ ଯୁବକ ଡୁମୁଡୁମା ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଚିଂଥିଲା । ପରେ ପରିସ୍ଥିତି ଅଣାୟତ ହେବାରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଆନ୍ଦୋଳନକାରୀ ହତ୍ୟାକାରୀଙ୍କୁ ଖୁବଶୀଘ୍ର ଗିରଫ କରିବା, ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଆଦି ଦାବି କରିଥିଲେ । ଏତିକିରେ ଥମି ନଥିଲା ଆନ୍ଦୋଳନକାରୀଙ୍କ ରାଗ । ସୋମାନେ ପୁଣି ଦିନ ୩ଟାରେ ଆଇଗିଣିଆ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟା ଧରି ରାସ୍ତାରୋକ ହେବା ଫଳରେ ଉଭୟ ପଟୁ ଆସୁଥିବା ଶହଶହ ଯାନବାହନ ଅଟକି ରହିଥିଲା । ଖବର ପାଇ ଡିସିପି ଅନୁପ ସାହୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କଲା ପରେ ବି ପରିସ୍ଥିତି ଶାନ୍ତ ପଡ଼ିନଥିଲା । ଶେଷରେ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା ।


ସେୟାର କରନ୍ତୁ