ବିଟ྄କଏନରେ ଟଙ୍କା ବିନିଯୋଗ ହେଲା କାଳ…ବିଲ ଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଭଲ ବ୍ୟବସାୟ ଯୋଗୁ ହସଖୁସିରେ ଚଳୁଥିଲା ପରିବାର । ଯେତିକି ଟଙ୍କା ମିଳୁଥିଲା ସ୍ୱାମୀ ଓ ପିଲାଙ୍କ କଥା ବୁଝିବା ପରେ ମଧ୍ୟ ଦୁଇ ପଇସା ସଂଚୟ କରି ହେଉଥିଲା । ହେଲେ ଗତ କିଛି ମାସ ହେଲା କ’ଣ ଯେ ହେଲା ଘରକୁ ଆଦୌ ଟଙ୍କାଟିଏ ବି ଆଣୁନଥିଲେ ସେ । ସଦାବେଳେ ବିରକ୍ତି ପ୍ରକାଶ କରିବା ସହ ପାଖରେ ଟଙ୍କା ନାହିଁ ବୋଲି କହୁଥିଲେ । ହେଲେ ପଛରେ ବୁଝିବାକୁ ପାଇଥିଲି ଯେ, ସେ ବିଟ྄କଏନରେ ଟଙ୍କା ବିିନିଯୋଗ କରିଛନ୍ତି । ବନ୍ଧୁ ବାନ୍ଧବଙ୍କଠାରୁ ଆଣିଥିବା ଟଙ୍କା ଓ ବ୍ୟବସାୟ ଟଙ୍କା ସେ ସବୁକୁ ସେଥିରେ ବିନିଯୋଗ କରିଛନ୍ତି ।

ସବୁ ଜାଣିବାରେ ପରେ ଏଥିରୁ ଦୂରେଇ ରହିବାକୁ ମୁଁ ତାଙ୍କୁ ବାରମ୍ବାର ମନା କରିଥିଲେ ମଧ୍ୟ ସେ ମୋ କଥା ଶୁଣିନଥିଲେ । ଫଳରେ ମୋର ସୁନାର ସଂସାର ଆଜି ଉଜୁଡିଗଲା । ଏଭଳି କୋହ ଭରା କଣ୍ଠରେ କାନ୍ଦି କାନ୍ଦି ସ୍ୱାମୀଙ୍କ ଶବ ନିକଟରେ କହୁଥିଲେ ପତ୍ନୀ । ମୃତ ଯୁବ ବ୍ୟବସାୟୀ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ଗୋପୀନାଥପୁରର ସୁକେଶ ପଣ୍ଡା । ମୃତ ଦେହକୁ ପୁଲିସ ଅନ୍ଧାରୁଆ ଗ୍ରାମର ଏକ ବିଳ ଭିତରୁ ଉଦ୍ଧାର କରିଥିବା କହିଛି । ପରେ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।

୫ ଦିନ ତଳେ ନିଖୋଜ ଥିଲେ ସୁକେଶ । ଏନେଇ ପତ୍ନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ସୁକେଶଙ୍କୁ ବହୁ ଖୋଜାଖୋଜି ପରେ ପାଇନଥିଲା । ଗତ ଶନିବାର ଅନ୍ଧାରୁଆ ଗ୍ରାମର ଏକ ବିଲ ଭିତରେ ସୁଶେକଙ୍କ ମୃତଦେହ ପଡିଥିବା ଖଣ୍ଡଗିରି ପୁଲିସକୁ ଖବର ମିଳିଥିଲା ।

ସୂଚନାଯୋଗ୍ୟ, ମୃତ ସୁକେଶ ପତ୍ନୀ ଓ ପୁଅଙ୍କ ସହ ଖଣ୍ଡଗିରି ଥାନା ଘାଟିକିଆ ଦୁର୍ଗାମଣ୍ଡପ ନିକଟରେ ରହୁଥିଲେ । ସୁକେଶ ଘାଟିକିଆ ଅଞ୍ଚଳରେ ସପ୍ଳାୟର ଭାବେ କାମ କରୁଥିଲେ । ଗତ କିଛି ଦିନ ହେବ ସେ ସ୍ଥାନୀୟ କିଛି ଯୁବକଙ୍କ ସହ ମିଶି ବିଟ྄କଏନରେ ଟଙ୍କା ଲଗାଉଥିଲେ । ଠକାମୀର ଶୀକାର ହେବା ପରେ ସୁକେଶଙ୍କ ମାନସିକ ସ୍ଥିତି ଭଲନଥିଲା । ଘରେ ବାରମ୍ବାର କଳିଝଗଡା କରୁଥିଲେ । ବିଭିନ୍ନ ସ୍ଥାନରୁ ସେ ଲକ୍ଷାଧିକ ଟଙ୍କା ଧାର କରଜ ଆଣିିଥିଲେ । ଏହାକୁ ନେଇ ପରିବାର ମଧ୍ୟରେ କଳିଝଗଡା ଲାଗି ରହିଥିଲା ।

୫ ତାରିଖ ଦିନ ସୁକେଶ ସକାଳୁ ଘରୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ରାତିରେ ତାଙ୍କ ମୋବାଇଲ ଫୋନକୁ କଲ କରିଥିଲେ ହେଲେ ଫୋନ ବନ୍ଦ ରହିଥିଲା । ଏନେଇ ପରିବାର ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଖଣ୍ଡଗିରି ପୁଲିସରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ଗତକାଲି ଘାଟିକିଆର ଏକ ବିଲ ଭିତରୁ ସୁକେଶଙ୍କ ମୃତଦେହ ମିଳିଥିଲା । ମୃତଦେହ ନିକଟରୁ ଏକ ଛୁରୀ, ମଦ ବୋତଲ, ଖାଦ୍ୟ ଜିନିଷ ଓ ମୋବାଇଲ ପଡିଥିଲା । ସେ ପ୍ରଚୁର ମଦ୍ୟପାନ କରିବା ପରେ ବିଷ ପିଇ ଦେଇଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ସ୍ୱାମୀ ଆତ୍ମହତ୍ୟା କରିଥିବା ପତ୍ନୀ ସହଜରେ ଗ୍ରହଣ କରି ପାରୁନାହାନ୍ତି । ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି ।


ସେୟାର କରନ୍ତୁ