ସୋସାଲ ମିଡ଼ିଆ ପରେ ଏବେ ଓଏଲଏକ୍ସ ବିଜ୍ଞାପନ ଦେଇ ଠକେଇ, ପେଶାଦାର ଅଭିଯୁକ୍ତକୁ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ସୋସାଲ ମିଡ଼ିଆ ବ୍ୟବହାର କରି ୧୦ଲକ୍ଷ୍ୟରୁ ଅଧିକ ଟଙ୍କା ଠକେଇ କରିବା ଘଟଣା କିଛି ଦିନ ନପୁରୁଣୁ ପୁଣି ଏକ ହାଇପ୍ରୋଫାଇ ଠକେଇ ରାଜଧାନୀରେ ଦେଖିବାକୁ ମଳିଛି । ଓଏଲଏକ୍ସ ସାଇଟରେ ବିଜ୍ଞାପନ ଦେଇ ୨ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଧଉଳି ଥାନା ଗୋପୀନାଥପୁରର ତୃପ୍ତି ଦାସ । ତୃପ୍ତି ନାଁରେ ବଡ଼ଗଡ଼, ଏୟାରଫିଲ୍ଡ, ଲିଙ୍ଗରାଜ, ଲକ୍ଷ୍ମୀସାଗର, ସହିଦନଗର ଆଦି ଥାନାମାନଙ୍କରେ ୧୮ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ଏସିପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ସୂଚନା ଅନୁଯାୟୀ ତୃପ୍ତି ଦାସ ଜଣେ ପେଶାଦାର ଠକ । ଅନଲାଇନ କିଣାବିକା ସାଇଟରେ ସେ ଦାମି ଗାଡ଼ିକୁ ଅଧା ଦାମରେ ବିକିବା ପାଇଁ ବିଜ୍ଞାପନ ଦେଇ ପରେ ଲୋକଙ୍କୁ ଠକି ଚାଲନ୍ତି ।

ସୂଚନାଯୋଗ୍ୟ, ଧଉଳି ଥାନା ଗୋପୀନାଥପୁର ପ୍ଲଟ ନମ୍ବର-୨୨୬ରେ ରହୁଥିବା ତୃପ୍ତି ଦାସ ସହିଦନଗର ଥାନା ଅଧିନ ଟଙ୍କପାଣି ରୋଡ଼ରେ ଏମଏସ କଳିଙ୍ଗ ନାମକ ଏକ ସଂସ୍ଥା ଖୋଲିଥିଲେ । ଓଏଲଏକ୍ସରେ ବିଭିନ୍ନ ବିଜ୍ଞାପନ ଦେଇ ପୁରୁଣା ଗାଡି କିଣିବାକୁ ସେ ଲୋକମାନଙ୍କୁ ଆକୃଷ୍ଟ କରନ୍ତି । ଦାମି ଗାଡ଼ିକୁ ଅଧା ଦାମରେ ବିକ୍ରି କରିବା ପାଇଁ ବିଜ୍ଞାପନ ଦିଅନ୍ତି । ସେଥିରେ ନିଜ ନମ୍ବର ଉଲ୍ଲେଖ କରିଥାଆନ୍ତି । ସେହି ନମ୍ବରରେ ଆଗ୍ରହୀ ବ୍ୟକ୍ତିମାନେ ଯୋଗାଯୋଗ କରିଥିବା ବେଳେ ଅଭିଯୁକ୍ତ ଜଣଙ୍କ ସେମାନଙ୍କୁ ପ୍ରଥମେ ଆଡ଼ଭାନ୍ସ ଦେବା ପାଇଁ କହନ୍ତି । ଲୋକେ ତାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରନ୍ତି । ପରେ ଅଭିଯକ୍ତ ଜଣଙ୍କ ଓଏଲଏକ୍ସ ସାଇଟରୁ ବିଜ୍ଞାପନ ଉଠାଇଦେଇ ନିଜ ନମ୍ବର ମଧ୍ୟ ହଟେଇ ଦିଅନ୍ତି ।

ଏମିତି ବହୁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଆଡ଼ଭାନ୍ସ ଉଠାଇବା ପରେ ବାଲେଶ୍ୱେର ଜିଲ୍ଲା ସିମୁଳିଆର ସୟଦ ମହମ୍ମଦ ନାମକ ଜଣେ ବ୍ୟକ୍ତି ବିଜ୍ଞାପନ ଦେଖି ତୃପ୍ତିଙ୍କ ସହ ଯୋଗାଯୋଗ କରିଥିଲେ । ତୃପ୍ତି ତାଙ୍କର ମୋବାଇଲ ନମ୍ବରକୁ ସଂଗ୍ରହ କରି ଅଧା ଦାମରେ ଭଲ ଗାଡ଼ି ପାଇବାର ଲୋଭ ଦେଖାଇବା ସହ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହିଥିଲେ । ସୟଦ ମହମ୍ମଦ ଗାଡି କିଣିବା ପାଇଁ ମନସ୍ଥିର କରିବା ପରେ ତାଙ୍କ ଆକାଉଣ୍ଟକୁ ୨ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ପରବର୍ତ୍ତୀ ସମୟରେ ତୃପ୍ତି ତାଙ୍କ ମୋବାଇଲ ଫୋନ ବନ୍ଦ କରି ଦେଇଥିଲେ । ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଧଉଳି ଅଚଂଳରୁ ଗିରଫ କରିଛି ।


ସେୟାର କରନ୍ତୁ