ଲୋପ ପାଉଛି ବନ୍ୟଜନ୍ତୁ ବଜ୍ରକାପ୍ତା, ଭାରତରୁ ଚିନ୍ ଭାୟା ନେପାଲ ଚୋରା ଚାଲାଣ…ଦଲାଲ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବନ୍ୟଜନ୍ତୁ ଶୀକାର ପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଓଡ଼ିଶାରୁ ବିଦେଶକୁ ଚୋରା ଚାଲାଣ କରିବା ଅଭିଯୋଗରେ କ୍ରାଇମବ୍ରାଚଂର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ୍ ଜଣେ ଦଲାଲକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଦକ୍ଷିଣ ପରିକୁଦର ଅଲ୍ଲାରୁଖା ଖାନ । ତାଙ୍କୁ ଏସଟିଏଫ ଟିମ୍ ଦଶପଲ୍ଲାରୁ ଗିରଫ କରିଛି । କୋର୍ଟ ଚାଲାଣ ପରେ ଅଭିଯୁକ୍ତକୁ ରିମାଣ୍ଡରେ ନେବ ବୋଲି ଏସଟିଏଫ ଯୋଜନା କରୁଛି । ଉକ୍ତ ଘଟଣାରେ ଏସଟିଏଫ ଦଫା ୩୭୯, ୪୧୩, ୧୨୦ (ବି) ଏବଂ ଦଫା ୫୧ ୱାଇଲ୍ଡ ଲାଇଫ ଆକ୍ଟ ୧୯୭୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଯୁକ୍ତ ବିରୋଧରେ ମଧ୍ୟପ୍ରଦେଶରରେ ମଧ୍ୟ ଏକ ମାମଲା ରହିଥିବା ଜଣାପଡଛି ।

କିଛି ଦିନ ତଳେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତର ବାପା ଶ୍ୟାମସୁଦ୍ଧିନ ଖାନକୁ ଗିରଫ କରିଥିଲା । ଅଙ୍ଗପ୍ରତ୍ୟାଙ୍ଗ ଚୋରା ଚାଲାଣ କ୍ଷେତ୍ରରେ ଶ୍ୟାମସୁଦ୍ଧିନ ମାଷ୍ଟରମାଇଣ୍ଡ ଥିବା କ୍ରାଇମବ୍ରାଚଂ ଜଣାଇଛି । ପୁଅ ଅଲ୍ଲାରୁଖାକୁ ରିମାଣ୍ଡରେ ନେବା ପାଇଁ ଏସଟିଏଫ କୋର୍ଟରେ ଆବେଦନ କରିବ ବୋଲି ସୂଚନା ଦେଇଛି । ରିମାଣ୍ଡ ଅବଧି ବେଳେ ବନ୍ୟଜନ୍ତୁ ଶୀକାର ଓ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ସାମ୍ରାଜ୍ୟର ନେଟୱାର୍କ କେବେ ବାଟ ଲମ୍ବିଛି ସେସବୁ ଦିଗରେ ଅଭିଯୁକ୍ତକୁ ପଚରାଉଚରା କରାଯିବ ବୋଲି ଏସଟିଏଫ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ, ରାଜ୍ୟରୁ ଅନ୍ୟଦେଶକୁ ବନ୍ୟଜନ୍ତୁ ବଜ୍ରକାପ୍ତା ଚାଲାଣ ହେଉଥିବା ନେଇ କ୍ରାଇମବ୍ରାଚଂକୁ ଖବର ମିଳିଥିଲା । ଯେଉଁଥିରେ ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ଜଣାପଡିଥିଲା । ଏହି ଗ୍ୟାଙ୍ଗ ବନ୍ୟଜନ୍ତୁ ଶୀକାର କରି ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଅଧିକ ଦାମରେ ବିକ୍ରି କରିଥାଆନ୍ତି । ଏସବୁକୁ ରପ୍ତାନୀ କରି ଦଲାଲମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ରାୟଗଡ଼ାରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଧରାପଡ଼ିବା ପରେ ଉକ୍ତ ଗ୍ୟାଙ୍ଗର କାରନାମା ସାମ୍ନାକୁ ଆସିଥିଲା । ରାଜ୍ୟରୁ ଏହାକୁ ଅଞ୍ଜାମ ଦଉଥିବା ମୁଖ୍ୟ ଅଭିଯୁକ୍ତ ଶ୍ୟାମସୁଦ୍ଧିନ ଖାନକୁ ଏସଟିଏଫ ଟିମ ଧରିଥିଲା । ଅଭିଯୁକ୍ତକୁ ୬ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏସଟିଏଫ ଚୋରା ଚାଲାଣ ନେଟୱାର୍କ ଉପରେ ଜାଣିବାକୁ ପାଇଛି । ପରେ ପୁଅ ଅଲ୍ଲାରୁଖା ହାତଥିବା ନେଇ ଜାଣିବା ପାଇଥିଲା ।

ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଚିନ୍ ଓ ଦକ୍ଷିଣ ଏସିଆରେ ବଜ୍ରକାପ୍ତାର ଗୋଟିଏ ଗୋଟିଏ କାତିର ଦାମ ୮ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଗୋଟିଏ ବଜ୍ରକାପ୍ତା ଶୀକାର କଲେ ସେମାନଙ୍କ ଦେହରୁ ୪୦ରୁ ୫୦ କାତି ବାହାରିଥାଏ । ତେଣୁ ଗୋଟିଏ ବଜ୍ରକାପ୍ତା ବିକିଲେ ଦଲାଲଙ୍କୁ ମିଳେ ୪ଲକ୍ଷ୍ୟରୁ ୫ଲକ୍ଷ୍ୟ ଟଙ୍କା । ଚିନ୍ ରେ ଏହି କାତିରୁ ବିଭିନ୍ନ ପ୍ରକାରର ଔଷଧ ତିଆରୀ ହୋଇଥାଏ । ତା’ଛଡ଼ା ଗୁଣିଗାରିଡ଼ି ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଅଳଙ୍କାର ଭାବରେ ବି ବିଦେଶରେ ବ୍ୟବହାର କରନ୍ତି ଯୁବତୀମାନେ । ଖାସ ସେଥିପାଇଁ ଓଡ଼ିଶାରେ ଏବେ ଆନ୍ତର୍ଜାତୀୟ ଗ୍ୟାଙ୍ଗର ଆଖି ରହିଛି । ଚୋରା ଚାଲାଣ ଲାଗି ରାଜ୍ୟର କିଛି ଦଲାଲଙ୍କୁ ହାତ କରିଛନ୍ତି ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ମୁଖ୍ୟତଃ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ, ନୟାଗଡ଼ ଆଦି ସଂରକ୍ଷିତ ଜଙ୍ଗଲରୁ ବଜ୍ରକାପ୍ତା ଶୀକାର ହୁଏ । ବିଭିନ୍ନ ଶୀକାରିଙ୍କଠାରୁ ଏହି ବନ୍ୟଜନ୍ତୁ କାତିକୁ ଆନ୍ତର୍ଜାତୀୟ ଚୋରା ଚାଲାଣକାରୀ ଶ୍ୟାମସୁଦ୍ଧିନ ଖାନ ସଂଗ୍ରହ କରେ । ଏହାକୁ ପରେ ଓଡ଼ିଶାରୁ ନେପାଲ, ପାକିସ୍ତାନ, ଆଫ୍ଗାନିସ୍ତାନ, ଶ୍ରୀଲଙ୍କା ଓ ଚିନ୍କୁ ଚୋରା ଚାଲାଣ ହୁଏ । ଶ୍ୟାମସୁଦ୍ଧିନକୁ କିଛି ଦିନ ତଳେ ଦଶପଲ୍ଲାର ଟାକରା ଚେକ୍ ଗେଟରୁ ଗରଫ କରିଥିଲା ମହାନଦୀ ୱାଇଲ୍ଡ ଲାଇଫ ଡିଭିଜନ । ପରେ ପଚରାଉଚରା ପାଇଁ ଏସଟିଏଫ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଥିଲା ।


ସେୟାର କରନ୍ତୁ