ସୁଙ୍ଗେର ବୋମା ନିଷ୍କ୍ରିୟ ମାମଲା : 48 ଘଣ୍ଟା ମଧ୍ୟରେ ପୋଲିସକୁ ବଡ଼ ସଫଳତା, 6 ଗିରଫ

ଅପରାଧ ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ପି .ସାଇପ୍ରସାଦ

ରାୟଗଡ଼ା: ରାୟଗଡ଼ାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଥିବା ଦେଖିବାକୁ ମିଳିଅଛି । 48 ଘଣ୍ଟା ନପୁରୁଣୁ ନିଷ୍କ୍ରିୟ କରାଯାଇଥିବା ବୋମାରେ ଜଡ଼ିତ ଥିବା 6 ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରକାଶ ଥାଉକି, ବୁଧବାର କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ପୋଲିସ ଏବଂ ସିଆରପିଏଫ୍ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଏକ ଘର ପଛପଟେ ଥିବା ପାଇଖାନାରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ଦିନରାତି ରାୟଗଡ଼ା ଏବଂ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଖୋଳତାଡ଼ କରି ଏଥିରେ ଜଡ଼ିତ ଥିବା 6 ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ନକ୍କଲ ବୋଲି ପରିଚୟ ଦେଇ ଅଭିଯୋଗକାରୀଙ୍କୁ ଜୀବନରେ ମାରିଦେବାର ଧମକ ଦେବା ସହ 5 ଲକ୍ଷ ଟଙ୍କା ଦେବା ପାଇଁ କହିଥିଲା । ହେଲେ ଉକ୍ତ ଅଭିଯୋଗକାରୀକୁ ମାରିବା ପାଇଁ ବୋମା ଖଞ୍ଜାଯାଇଥିବା ଜାଣିପାରି ଜିଲ୍ଲା ପୋଲିସ ସିଆରପିଏଫ୍ ଏବଂ ଡିଭିଏଫ୍ ଯବାନଙ୍କ ସହିତ ସୁଙ୍ଗେରରେ ସର୍ଚ ଅପରେସନ କରି ପାଇଖାନାରେ ବୋମାକୁ ଠାବ କରିଥିଲେ । ଏହା ପରେ ବୋମା ନିଷ୍କ୍ରିୟ ଟିମ୍ ଉକ୍ତ ବୋମାକୁ ବିସ୍ଫୋରଣ କରି ଯୋଜନା ପଣ୍ଡ କରିଦେଇଥିଲା । ଗିରଫ 6 ଜଣ ପୂର୍ବ ଯୋଜନା କରି ବୋମା ପାଇଁ ବାହାର ରାଜ୍ୟରୁ ସମସ୍ତ ସାମଗ୍ରୀ ଆଣିଥିବା ନେଇ ସନ୍ଦେହ ରହିଛି ବୋଲି ଏସପି ବିବେକାନନ୍ଦ ଶର୍ମା ଆଜି ପ୍ରେସମିଟ୍‌ରେ ପ୍ରକାଶ କରିଛନ୍ତି ।

ତେବେ ବର୍ତମାନ ସୁଦ୍ଧା ତଦନ୍ତରେ 6 ଜଣ ଗିରଫ ହୋଇଥିବା ବେଳେ 200 ଗ୍ରାମ୍ ଜିଲୋଟିନ୍ 5ଟି, ଇଲେକ୍ଟ୍ରୋନିକ ଡିଟେନେଟର୍ 10ଟି, 5 ମିଟର କରେଣ୍ଟ ତାରରେ ତିଆରି ବୋମାକୁ ନିଷ୍କ୍ରିୟ କରାଯାଇଛି । ଏହା ସହିତ 4ଟି ମୋବାଇଲ, ଗୋଟିଏ ସିଲିଣ୍ଡର ଏବଂ ଡିଜିଟାଲ ୱାଚ୍ ଜବତ କରାଯାଇଛି । ବୋମା ଠାବ, ନିଷ୍କ୍ରିୟ ଏବଂ ତଦନ୍ତରେ ରାୟଗଡ଼ା ଏସଡିପିଓ ଦେବଜ୍ୟୋତି ଦାସ ଏବଂ କାଶୀପୁର ଥାନା ଅଧିକାରୀ ପଦ୍ମା ମୁଥୁ ପ୍ରମୁଖ ଭୂମିକା ଗ୍ରହଣ କରି ପୋଲିସ ପାଇଁ ଏହି ସଫଳତା ଆଣିଥିବା ଏସପି ଶର୍ମା ପ୍ରକାଶ କରିଥିଲେ ।


ସେୟାର କରନ୍ତୁ