ରାଜଧାନୀରୁ ପିଲା ଚୋରି! …ଉଦ୍ଧାର ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ପିଲା ଚୋରି ହେଉଥିବା ନେଇ କିଛି ଦିନ ତଳେ ଓଡ଼ିଶା ପୁଲିସ ଏହାକୁ ଗୁଜବ କହିଥିବା ବେଳେ ରାଜଧାନୀରେ ଦୁଇ ପିଲା ନିଖୋଜ ରହିବା ଘଟଣା ସହରବାସୀଙ୍କ ଚିନ୍ତା ବଢ଼ାଇଦେଇଛି । ଇନଫୋସିଟି ଥାନାରେ ପିଲା ଚୋରି ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ନିଖୋଜ ରହିଥିବା ଦୁଇ ପିଲାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଅଣ୍ଟା ଭିଡ଼ିଛି । ଗଠନ ହୋଇଛି ଏକ ସ୍ୱତନ୍ତ୍ର ଟିମ । ଯାହାକୁ ତଦାରଖ କରିବେ ଖୋଦ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଏହା ସୂଚନା ଦେଇଛନ୍ତି ପୁଲିସ କମିଶନର ଯୋଗେଶ ବହାଦୁର ଖୁରାନିଆ ।

ସେ ମଧ୍ୟ କହିଛନ୍ତି ଯେ, ନିଖୋଜ ପିଲାଙ୍କ ଚିହ୍ନଟ୍ ଲାଗି ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ସମସ୍ତ ଥାନାମାନଙ୍କରେ ସେମାନଙ୍କ ଫଟୋ ଲାଗିଛି । ଏଥିସହ ଯେ କୌଣସି ବ୍ୟକ୍ତି ଦୁଇ ପିଲାଙ୍କ ବିସୟରେ ଖବର ପୁଲିସକୁ ଦିଅନ୍ତି, ସେମାନଙ୍କୁ ୨ହଜାର ୫୦୦ ଅର୍ଥରାଶି ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟରେ ଘଟଣାର ଯାଚଂ କରି ଦୁଇ ପିଲାଙ୍କୁ ଯଥାଶିଘ୍ର ଉଦ୍ଧାର କରିବା ପାଇଁ ରାଜ୍ୟ ମାନବାଧିକାର କମିଶନ ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କୁ ନର୍ଦ୍ଦେଶ ଜାରି କରିଛନ୍ତି । ଖାଲି ଏତିକି ନୁହେଁ, ୪ସପ୍ତାହ ମଧ୍ୟରେ ବିସ୍ତୃତ ଉଦ୍ଧାର ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ପୁଲିସ ଅଧିକାରୀଙ୍କୁ ନୋଟିସ କରିଛନ୍ତି କମିଶନ । ଯାଚଂ ପ୍ରକ୍ରିୟା ତ୍ୱରାନ୍ୱିତ କରି ପିଲାଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ମାନବାଧିକାର କର୍ମୀ ପଦୀପ୍ତ ନାୟକ କମିଶନଙ୍କ ନିକଟରେ ଏକ ପିଟିସନ ଦାୟାର କରିଥିଲେ ।

ସୂଚନା ଅନୁଯାୟୀ, ଇନଫୋସିଟି ଥାନା ଅଧିନ ଚିର୍ଗାଲଟୋଲା ବସ୍ତିରୁ ଶେଷ ରଜ ଦିନ ମୁନା ସୋରେନଙ୍କ ପୁଅ ରାଜା (୧୦ବର୍ଷ) ଓ ବୁଦ୍ଧିଆ ହେମ୍ବ୍ରମଙ୍କ ଝିଅ ଦେବଜାନୀ ହେମ୍ବ୍ରମ (୫ବର୍ଷ) ନିଖୋଜ ହୋଇଯାଇଛନ୍ତି । ଅଭିଯୋଗ ହେବା ପରେ ଇନଫୋସିଟି ଥାନା ପୁଲିସ ଏକ ଅପହରଣ ମାମଲା (୭୬/୧୮) ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ପିଲା ଚୋରି ସନ୍ଦେହ କରି ନିଖୋଜ ପିଲାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିବା ସତ୍ୱେ ପିଲାଙ୍କୁ ନପାଇବାରୁ ନାନା ଆଶଙ୍କାରେ ଭାଙ୍ଗିପଡିଛନ୍ତି । ଅନ୍ୟପକ୍ଷରେ ଘଟଣାଟି ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ପିଲା ଚୋରି ଜୋର ଧରିବାରୁ ବସ୍ତିବାସିନ୍ଦା ଆତଙ୍କିତ ଅବସ୍ଥାରେ ରାତି ଉଜାଗର ରହି ଜଗି ରହୁଥିବା ଦେଖାଦେଇଛି । ତେବେ ଶେଷ ରଜରେ ରାଜା ଓ ଦେବଜାନୀ ଘର ପାଖ ପଡ଼ିଆରେ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଘର ଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ ।


ସେୟାର କରନ୍ତୁ