‘ମୋ ଝିଅକୁ ଦଲାଲ ବିକିଦେଇଛି ‘… ଦାଦନ ଖଟିବାକୁ ଯାଇ ଘରକୁ ଫେରିନି କଳାହାଣ୍ଡିର ରଶ୍ମିତା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ନିଖୋଜ ହୋଇଗଲା ଯୁବତୀ । ଏହା ପଛରେ ସନ୍ଦେହ ଘେରରେ ଆସିଛନ୍ତି ଦାଦନ ସର୍ଦାର । କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକ ବାଂଜିପଦର ଗାଁରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ଗୋପୀନାଥ ସୁନାଙ୍କ ଝିଅ ରଶ୍ମିତାକୁ ତାମିଲନାଡୁରେ କାମ କରାଇବାର ପ୍ରଲୋଭନ ଦେଖାଇ ଘରୁ ନେଇ ଯାଇଥିଲା ଦାଦନ ସର୍ଦାର ଯୁଧିଷ୍ଠିର ବିଭାର ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରଥମ ତିନି ମାସ ତ ଝିଅ ସହ ଯୋଗାଯୋଗ ହେଉଥିଲା ହେଲେ ଏବେ ରଶ୍ମିତା ସହ ଯୋଗାଯୋଗ ସମ୍ଭବ ହେଉନି । ରଶ୍ମିତା ସହ ଯାଇଥିବା ୪ଜଣ ଯୁବତୀ ଗାଁକୁ ଫେରିଥିବା ବେଳେ ରଶ୍ମିତାଙ୍କ ପତ୍ତା ମିଳୁନି । ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ମେ’ ୧୦ରୁ ଥାନାରେ ଅଭିଯୋଗ ହୋଇଥିଲେ ବି ଏଯାଏଁ କିନ୍ତୁ ଫଳ ଶୂନ । ଦାଦନ ରୋକିବାକୁ ଭାଷଣ ମାରୁଥିବା ପ୍ରଶାସନ ରଶ୍ମୀତାଙ୍କ କ୍ଷେତ୍ରରେ ପୁରା ଚୁପ ବସିଛି । ଉପ ଜିଲ୍ଲାପାଳ ଓ ଏସପିଙ୍କୁ ରଶ୍ମିତାଙ୍କ ପରିବାର ଲୋକେ ଭେଟିଥିଲେ ବି କେହି କିଛି ବୁଝୁ ନାହାଁନ୍ତି । ଏପଟେ ଝିଅର ଫେରିବା ବାଟକୁ ଚାହିଁ ଚାହିଁ ଭାଙ୍ଗି ପଡିଲାଣି ପୁରା ପରିବାର । ତେବେ ତାମିଲନାଡୁରେ ଝିଅକୁ ଦଲାଲ ବିକି ଦେଇଥିବା ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ମା’ ।

ଦାଦନ ଖଟିବାକୁ କେହି ଖୁସିରେ ଯାଏ ନାହିଁ । ଦାଦନର ଦୁଃଖ କେତେ ତାହା ବି କେହି ବୁଝେନାହିଁ । ଆଶା କରିବୁ ଜିଲ୍ଲା ପ୍ରଶାସନ ଓ ପୁଲିସ ରଶ୍ମିତାଙ୍କୁ ଖୋଜି ଆଣିବେ ପର ରାଇଜରୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଝିଅର ମା’ ।


ସେୟାର କରନ୍ତୁ