ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ମୋଦୀ ଦେଇଛନ୍ତି ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା– ଧର୍ମେନ୍ଦ୍ର ପ୍ରଧାନ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର/ତିଳେଇବଣି : ମୋଦୀ ସରକାରଙ୍କ ୧୦ ବର୍ଷ ଶାସନରେ ଦେବଗଡ଼ ଜିଲ୍ଲାକୁ ଚାଉଳ, ଘର, ଶୌଚାଳୟ, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୭୩ ହଜାର ୭୧୭ଟି ପରିବାରକୁ ସର୍ବମୋଟ ୨, ୧୮୪ କୋଟି ଅର୍ଥାତ୍ ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । ଗରିବ କଲ୍ୟାଣ ଯୋଜନାରେ ଦେବଗଡ ଜିଲ୍ଲାର ପରିବାର ପିଛା ପାଖାପାଖି ୩ ଲକ୍ଷ ଟଙ୍କା ମୋଦି ସରକାର ଦେଇଛନ୍ତି ବୋଲି ଆଜି ଦେବଗଡରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ଦେବଗଡର ବିଜେପି କାର୍ଯ୍ୟାଳୟରୁ ତିଳେଇବଣି ନିକିତିମାଳ ସିଦ୍ଧେଶ୍ୱର ମନ୍ଦିରକୁ ଶତାଧିକ ଜନସାଧାରଣ ଓ ସମର୍ଥକଙ୍କ ସହ ବାଇକ ରାଲିରେ ଯାଇଥିଲେ । ପରେ ନିକିତିମାଳ ସ୍ଥିତ ଶ୍ରୀ ସିଦ୍ଧେଶ୍ୱର ମଦାଦେବ ମନ୍ଦିରରେ ଦର୍ଶନ କରିଥିଲେ । ସେଠାରୁ ଦେବଗଡ଼ ଜିଲ୍ଲା ତିଳେଇବଣିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ପ୍ରତି ଦେବଗଡ଼ର ମାତୃଶକ୍ତି ଓ ଯୁବଶକ୍ତିଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଦେବଗଡରେ ପରିବର୍ତ୍ତନ ହୋଇଛି । ମୋଦି ସରକାରରେ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି ।
ଏହାର ବିସ୍ତୁତ ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ଼ର ୨.୬୩ ଲକ୍ଷ ହିତାଧିକାରୀଙ୍କୁ ୫୬୮ କୋଟି ଟଙ୍କା ମୂଲ୍ୟର ଚାଉଳ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହର ପାଇଁ ମୋଟ ୨୨୩ କୋଟି ଟଙ୍କାର ପ୍ରାୟ ୧୭ ହଜାର ଘର ପ୍ରଦାନ କରାଯାଇଛି । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ୯୧ କୋଟି ଟଙ୍କା ବ୍ୟୟରେ ୩୫ ହଜାର ୧୬୫ଟି ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ୨୦ ହଜାର ୫୨୯ ଜଣ ହିତାଧିକାରୀଙ୍କୁ ୩.୨୮ କୋଟି ଟଙ୍କା ମୂଲ୍ୟର ରନ୍ଧନ ଗ୍ୟାସ ଦିଆଯାଇଛି । ମନରେଗା ଯୋଜନାରେ ୧.୨୮ କୋଟି ଦିବସ ସୃଷ୍ଟି ସହ କାମ ୩୫୪.୮୮ କୋଟି ଟଙ୍କା ଦିଆଯାଇଛି । ମୁଦ୍ରା ଋଣରେ ୧ ଲକ୍ଷ ୩୯ ହଜାର ୮୬୯ ଜଣଙ୍କୁ ଋଣ ବାବଦକୁ ୫୫୪ କୋଟି ଟଙ୍କା ଦିଆଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ଜନଜାତି ସମାଜର ଯୁବକଙ୍କୁ ଉଦ୍ୟମୀ କରିବା ପାଇଁ ୨.୫୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ସ୍ୱନିଧି ଯୋଜନାରେ ୨.୩୨ କୋଟି ଟଙ୍କାର ସହାୟତା ଦିଆଯାଇଛି । ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୩୪ କୋଟି ଟଙ୍କାର ଋଣ ବ୍ୟବସ୍ଥା ହୋଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ବାବଦକୁ ୧୬,୭୦୦ ଜଣ ହିତାଧିକାରୀଙ୍କୁ ୧୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୪ ଲକ୍ଷ ୧୯ ହଜାର ଏଲଇଡି ବଲ୍ବ ବିତରଣ ବାବଦକୁ ୫.୨ କୋଟି ଟଙ୍କା ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ମୋଦୀ ଟଙ୍କା ପଠାଉଛନ୍ତି, କିନ୍ତୁ ଦେବଗଡ଼ରେ ପହଂଚିଲା ବେଳକୁ ଏହା କମିଯାଉଛି । ମୋଦୀ ଯାହା ଦେଉଛନ୍ତି ତାହା ଠିକ୍ ଠିକ୍ ଏଠାରେ ପହଂଚିବା ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ଶ୍ରୀ ପ୍ରଧାନ ଏହା ମଧ୍ୟ କହିଥିଲେ, ମୋଦି ସରକାର ଚାଷୀଙ୍କ ପାଇଁ ଧାନର କୁଇଂଟାଲ ପିଛା ୨୧୮୩ ଟଙ୍କା ପଠାଉଛନ୍ତି । କିନ୍ତୁ ରାଜ୍ୟ ସରକାର କଟନି ଛଟନି କରୁଥିବାରୁ ଚାଷୀ ଧାନର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ । ମଣ୍ଡିରେ ହଇରାଣ ହେଉଛି । ଓଡ଼ିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ଦେବଗଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦିଆଯିବ । କ୍ୱିଣ୍ଟାଲ ପିଛା ଧାନର ଏମଏସପି ୩୧୦୦ ଟଙ୍କା ବୃଦ୍ଧି କରାଯିବ । ସ୍ୱଚ୍ଛ ପାନୀୟ ଜଳ ନେଇ ଥିବା ସମସ୍ୟା ଦୂର ହେବ । ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଅଣାଯିବ । ଏକ ବିକାଶଶୀଳ ଗରିବ ସପକ୍ଷବାଦୀ ସରକାର ବନାଇବାକୁ ହେଲେ ମୋଦୀଙ୍କ ହାତମୁଠାକୁ ଟାଣ କରିବା ଦରକାର ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ ।

ଶୋଭାଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଥିଲେ । ସେ କହିଥିଲେ ‘ମୋଦୀ ଗ୍ୟାରେଣ୍ଟି’ ଗରିବରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିକଶିତ ଓଡ଼ିଶା ଗଢିବା ପାଇଁ ବିଜେପି ସଂକଳ୍ପବଦ୍ଧ ।


ସେୟାର କରନ୍ତୁ