ଦେଶରେ 7ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ଦେଶବିଦେଶ ରାଜନୀତି
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ 2024 ପାଇଁ ରଣଭେରୀ ବାଜି ସାରିଛି । ନିର୍ବାଚନ ଆୟୋଗ ଶନିବାର (ମାର୍ଚ୍ଚ 16, 2024) ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । କେଉଁ ରାଜ୍ୟରେ, କେଉଁ ଦିନ ଏବଂ କେତେ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଏବଂ ଫଳାଫଳ କେବେ ଘୋଷଣା କରାଯିବ ସେନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ 543 ଟି ଲୋକସଭା ଆସନ ପାଇଁ ଭୋଟ୍ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଜୁନ୍ 4 ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲ୍ 19 ରେ ଏବଂ ଶେଷ ଭୋଟ୍ ଜୁନ୍ 1 ରେ ଅନୁଷ୍ଠିତ ହେବ ।

ତେବେ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ 13 ଓ ମେ 20, ମେ 25 ଓ ଜୁନ 1ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

ଏପ୍ରିଲ 19ରେ 21ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ 26ରେ ଦ୍ୱିତୀୟ ପର୍ଯ୍ୟାୟରେ 89ଟି ଆସନରେ ମତଦାନ ହେବ । ସେହିପରି ମେ’ 7 ରେ ତୃତୀୟ ପର୍ଯ୍ୟାୟରେ 12ଟି ରାଜ୍ୟର ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । 4ର୍ଥ ପର୍ଯ୍ୟାୟ ଭୋଟ 13 ମେ 5ମ ପର୍ଯ୍ୟାୟ 20 ମେରେ ଅନୁଷ୍ଠିତ ହେବ । 6ଷ୍ଠ ପର୍ଯ୍ୟାୟ 25 ମେ ଓ 7ମ ପର୍ଯ୍ୟାୟ 1 ଜୁନରେ ହେବ ।

ଏହି ନିର୍ବାଚନ ପାଇଁ 55 ଲକ୍ଷ ଇଭିଏମର ବ୍ୟବହାର କରାଯିବ । 10.5 ଲକ୍ଷ ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ଦେଢ କୋଟି ପୋଲିଂ ଅଫିସର ଓ କର୍ମଚାରୀ ନିର୍ବାଚନ କାମରେ ନିୟୋଜିତ ହେବେ । ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ 21 ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ 2024 ଜୁନ୍ 16ରେ ଶେଷ ହେଉଛି । 97 କୋଟି ପଞ୍ଜୀକୃତ ଭୋଟର ଅଛନ୍ତି । 18ରୁ 29 ବର୍ଷର ଯୁବ ଭୋଟର ସଂଖ୍ୟା 21 କୋଟି ରହିଛି । ସେହିପରି ଦେଶରେ 2 ଲକ୍ଷ 18 ହଜାର ଶତାୟୁ ଭୋଟର ରହିଛନ୍ତି । 85 ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କ ଘରକୁ ଫର୍ମ ପଠାଇଦିଆଯିବ ।


ସେୟାର କରନ୍ତୁ