ରାଜ୍ୟ ରାଜନୀତିରେ ବୃଦ୍ଧି ପାଉଛି ଯାଜପୁରର ପତିଆରା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଗତକାଲି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ନବକଳେବର ହୋଇଅଛି । ଏହି ନୂଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ମନ୍ତ୍ରୀଙ୍କୁ ଶପଥ ଦିଆଯାଇଥିଲାବେଳେ କିଛି ନୂଆ ଲୋକଙ୍କୁ ଶପଥ ଦିଆଯାଇଛି । ନବୀନ ପଟ୍ଟନାୟକ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଯାଜପୁରର 2ଜଣ ସ୍ଥାନ ପାଇଛନ୍ତି । ଏ ଦୁହିଁଙ୍କ ମଧ୍ୟରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ତୃତୀୟଥର ପାଇଁ ନବୀନ ସରକାରରେ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲାବେଳେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି କିଛିମାସ ତଳେ ସୁଲୋଚନା ଦାସ ଭୁବନେଶ୍ବର ମେୟର ପଦରେ ନିର୍ବାଚିତ ହୋଇଥିଲେ । ଏହାର ଠିକ୍‌ ପରେପରେ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାକୁ ଯଦି ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଏ ତେବେ ରାଜ୍ୟ ରାଜନୀତିରେ ଯାଜପୁର ପତିଆରା ଖୁବ ବୃଦ୍ଧି ପାଇଛି ।

ସୂଚନା ଥାଉ କି, ଆହୁରି ମଧ୍ୟ 2000 ମସିହାରୁ ଆଜିପର୍ଯ୍ୟନ୍ତ ଲଗାତାର 5ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିଥିବାବେଳେ ଯାଜପୁର ଜିଲ୍ଲାର ଲୋକପ୍ରତିନିଧି ମାନେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି । ଏହି ପଞ୍ଚମ ପାଳିରେ ଶାସକ ଦଳ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ମନ୍ତ୍ରିମଣ୍ଡଳରେ ନରହି ମଧ୍ୟ ସମସ୍ତ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି । ଶାସକ ଦଳ ବିଜେଡି ସଂଗଠନ‌ ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି । ସେ ରାଜ୍ୟ ସରକାରଙ୍କର ଅନ୍ୟତମ କେନ୍ଦ୍ରବିନ୍ଦୁ ହୋଇଥିବାରୁ ଯାଜପୁର ଜିଲ୍ଲାର ପ୍ରଭାବ ରାଜ୍ୟ ରାଜନୀତିରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଅଛି । ନିକଟରେ 4ଜଣ ରାଜ୍ୟସଭା ସଦସ୍ୟ ମନୋନୟନରେ ବରୀ ନିର୍ବାଚନମଣ୍ଡଳୀର ନେତ୍ରୀ ସୁଲତା ଦେଓଙ୍କୁ ମଧ୍ୟ ରାଜ୍ୟସଭା ସଦସ୍ୟା ଭାବେ ନିର୍ବାଚିତ କରାଯାଇଛି । ଏହାପୂର୍ବରୁ ପୌର ନିର୍ବାଚନରେ ମଧ୍ୟ ବରୀ ଅଞ୍ଚଳର ଅନ୍ୟତମ ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ବର ପୌର ନିଗମ ମେୟର ଭାବେ ନିର୍ବାଚିତ କରାଯାଇଥିଲା । ଏହାକୁ ଲକ୍ଷ୍ୟ କଲେ ରାଜ୍ୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଏହି ପଞ୍ଚମ ପାଳିରେ ଯାଜପୁର ଜିଲ୍ଲାକୁ ବେଶ୍‌ ଗୁରୁତ୍ବ ଦିଆଯାଉଥିବା ସ୍ପଷ୍ଟ ହୋଇଛି ।


ସେୟାର କରନ୍ତୁ