ରାଜଧାନୀରେ ଡେଙ୍ଗୁ ଆତଙ୍କ, ମହିଳା ମୃତ, ୧୦ଗୁରୁତର…ବିଏମସି କତ୍ତୃପକ୍ଷ ନିରବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଅଚଂଳରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଜଣେ ମହିଳା ମୃତ୍ୟୁବରଣ କରିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ବିଜୟ ଦାସ । ମୃତ ମହିଳା ଜଣଙ୍କ ହେଲେ ବିଡିଏ ମାର୍କେଟ କମ୍ପେ୍ଲକ୍ସରେ ରହୁଥିବା ପ୍ରତିମା ଦାସ (୪୫) । ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତିନି ଦିନ ତଳେ ପ୍ରତିମା ଦୁଇ ଯାଆ ମମିତା ଦାସ ଓ ମାନିନା ଦାସଙ୍କ ସହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ବୁଧବାର ବିଳମ୍ବିତ ରାତିରେ ପ୍ରତିମାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଦୁଇ ଯାଆ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡ଼ା ଚନ୍ଦ୍ରଶେଖରପୁର ଅଚଂଳରେ ୧୦ରୁ ଉର୍ଦ୍ଧ ଲୋକେ ଡେଙ୍ଗୁ ଜ୍ୱରରେ ଗୁରୁତର ଥିବା ସୂଚନା ମିଳିଛି ।

ବିଏମସିର ମନମୁଖୀ କାମ ଯୋଗୁ ୱାର୍ଡ-୧୩ରେ ଡେଙ୍ଗୁ ଆତଙ୍କ ଦେଖାଯାଇଥିବା ବିଜୟ ଦାସ ଅଭିଯୋଗ କରିଛନ୍ତି । ଠିକ ସମୟରେ ଅଳିଆ ଅବର୍ଜନା ଉଠୁନଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏଥିପାଇଁ ସ୍ଥାନୀୟ କର୍ପୋରେଟର ଦାୟୀ ବୋଲି ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ବିଏମସି ଏଥିପ୍ରତି ଧ୍ୟାନ ଦେଉ ବୋଲି ଦାବି ହୋଇଛି ।

ଏତେ ବଡ଼ ଘଟଣା ଘଟିଗଲା ପରେ ମଧ୍ୟ ଉକ୍ତ ୱାର୍ଡର କର୍ପୋରେଟର ସୌଭାଗ୍ୟ ବାରିକ ଅଚଂଳରେ ଡେଙ୍ଗୁ ଜ୍ୱର ବ୍ୟାପିବା ନେଇ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ପ୍ରତିମା ଡେଙ୍ଗ ଜ୍ୱରରେ ମରିନାହାନ୍ତି ବରଂ କିଡ଼ନୀ ଓ ଡ଼ାଇବେଟିସ୍ ରୋଗରେ ମୃତ୍ୟୁବରଣ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରତିମାଙ୍କ ଦୁଇ ଯାଆଙ୍କର ପଜିଟିଭ ବହାରିଛି ।

ଖାଲି ଏତିକି ନୁହେଁ ଦିନ ଦିନ ଧରି ଘର ସାମ୍ନାରେ ଅଳିଆ ପଡିରହୁଥିବା ବେଳେ ବିଏମସିର ସଫେଇ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଉନଥିବା ଶୈଳେଶ୍ରୀବିହାର ଭିଆଇଆଇଏମ କଲୋନୀର ଜଣେ ବାସିନ୍ଦା ଅଭିଯୋଗ କରିଛନ୍ତି । ସେ କହିଛନ୍ତି କର୍ମଚାରୀଙ୍କୁ ବିରକ୍ତି ପ୍ରକାଶ କଲେ ହିଁ ସେମାନେ ସପ୍ତାହକୁ ଥରେ ଅଳିଆ ଉଠାଉଛନ୍ତି । ଏଥିସହ ସ୍ଥାନୀୟ କର୍ପୋରେଟରକୁ ଜଣାଇଲେ ମଧ୍ୟ କୌଣସି ଫଳପ୍ରଦ ଦେଖାଯାଇନଥିବା ସେ ମତ ରଖିଛନ୍ତି । ତେଣୁ ଡେଙ୍ଗୁ ବ୍ୟାପିବା ସ୍ୱଭାବିକ ବୋଲି ସେ ବିରକ୍ତ ହୋଇ କହିଛନ୍ତି ।

କିଛି ଦିନ ତଳେ ଭୁବନେଶ୍ୱରରେ ୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯିବା ସହ ସମସ୍ତ ଔଷଧ ରଖାଯାଇଛି । ଡେଙ୍ଗୁ ରୋଗୀଙ୍କ ପାଇଁ ୮ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ ଥିବା କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି ।


ସେୟାର କରନ୍ତୁ