ପାନୀୟ ଜଳ ସମସ୍ୟା ନେଇ ତାତିଲେ ଗ୍ରାମବାସୀ : ଅବରୋଧ କଲେ 53 ନମ୍ବର ଜାତୀୟ ରାଜପଥ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ପାନୀୟ ଜଳ ସମସ୍ୟାକୁ ନେଇ ଗତକାଲି ଦିନ 10ଟା ସମୟରେ 53 ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଏହି ଘଟଣା ବାଉଁଶପାଳ ଛକ ନିକଟରେ ବାଉଁଶପାଳ ଦେହୁରୀ ସାହି ଗ୍ରାମବାସୀମାନେ ଗରା, ବାଲ୍ଟି ରଖି ରାସ୍ତାକୁ ଅବରୋଧ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ଦେହୁରୀ ସାହିର ସୋଲାର ପମ୍ପଟି ଦୀର୍ଘ ଦିନ ହେବ ଅଚଳ ହୋଇପଡିଅଛି । ଏବେ ତାଙ୍କର ଚଳିବା ପାଇଁ ସାହା ଭରଷା ମାତ୍ର ଗୋଟିଏ ନଳକୂପ । ତେଣୁ ଲୋକମାନେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନଥିବା କଥା ସେମାନେ କୁହନ୍ତି । ସେମାନେ ମଧ୍ୟ ଆହୁରି କୁହନ୍ତି, ଗାଧୋଇବା ପାଇଁ ପୋଖରୀଟିଏ ନ ଥିବାରୁ ଏକ ଯୋଡ଼କୁ ପ୍ରାୟ ଏକ କିଲୋମିରରୁ ଅଧିକ ବାଟ ଯାଇଥାନ୍ତି ।

ଏଭଳି ଅସୁବିଧାକୁ ପାଥେୟ କରି ସୋମବାର 53 ନଂ ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ମହିଳା ମାନେ ଗରା ଓ ବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ, ବିଭାଗୀୟ ଯନ୍ତ୍ରୀ ଓ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପାନୀୟ ଜଳ ସମସ୍ୟା ଦୂର କରିବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ଯାହା ଫଳରେ ଯାତାୟତ ସ୍ବାଭାବିକ ହୋଇଥିଲା ।


ସେୟାର କରନ୍ତୁ