ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏସ୍‌ଆରସିଙ୍କ ସୂଚନା: ସତର୍କ ରୁହନ୍ତୁ, କୌଣସି ପରିସ୍ଥିତିରେ ଆତଙ୍କିତ ହୁଅନ୍ତୁ ନାହିଁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଦକ୍ଷିଣ ଅଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମେ’ 6 ତାରିଖ ଅପରାହ୍ନରେ ଏହା ଅବପାତର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଘୁର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ବାତ୍ୟା ହେବ କି ନାହିଁ ସେ ନେଇ ଆସନ୍ତାକାଲି ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ ପାଖରୁ ଅଧିକ ତଥ୍ୟ ଆସିବ ଏବଂ ଏହା ସ୍ପଷ୍ଟ ହୋଇଯିବ । ବାତ୍ୟା ପାଇଁ ଲୋକେ ସତର୍କ ରୁହନ୍ତୁ । ଯଦି ବାତ୍ୟା ହୁଏ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ବଜାରରୁ ଅଯଥାରେ ଅଧିକ ସାମଗ୍ରୀ କିଣନ୍ତୁ ନାହିଁ । ପରିସ୍ଥିତିକୁ ଆଖି ଆଗରେ ରଖି 18 ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆମ ରାଜ୍ୟରେ ଏବେ 17ଟି ଏନଡିଆରଏଫ ଟିମ, 20ଟି ଓଡ୍ରାଫ୍ଟ ଟିମ ଓ 175 ଫାୟାର ସର୍ଭିସ ଟିମ ଅଛି, ଯାହାକୁ ଦରକାର ପଡ଼ିଲେ ମୁତୟନ କରାଯିବ । ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ ବିତରକ କଂପାନିଗୁଡ଼ିକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଆସନ୍ତାକାଲି ଟେଲିକମ ସଂସ୍ଥାଗୁଡିକ ସହ କଥା ହେବୁ । ଏବେ ୟ ସପ୍ଲାଏ ଚେନ ଠିକ ଅଛି । କାଲି ସନ୍ଧ୍ୟାରେ ପୁଣି ପ୍ରେସ ବ୍ରିଫିଙ୍ଗ କରିବୁ ।

ତେବେ ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ 18ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


ସେୟାର କରନ୍ତୁ