COVID-19 : ଭୁବନେଶ୍ୱର ଲାଗି ସ୍ୱତନ୍ତ୍ର ରଣନୀତି- 5000 ଟେଷ୍ଟିଙ୍ଗ ହେବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବର୍ତମାନ ସାରା ବିଶ୍ୱରେ କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଭିର୍ନ ପ୍ରକାର ରଣକୌଶଳ ଆପଣା ଯାଉଅଛି । ଭାରତରେ ମଧ୍ୟ ଏହାକୁ ପରାଜିତ କରିବା ପାଇଁ କେତେ ପ୍ରକାରର ରଣକୌଶଳ ଆପଣାଯାଇଅଛି । ଓଡ଼ିଶାରେ ମଧ୍ୟ ଏହି କରୋନା କବଳରୁ ମୁକୁଳିବା ପାଇଁ ସମୟକୁ ଆଖି ଆଗରେ ରଖି ବିଭିର୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଅଛି ।

ରାଜଧାନୀ ଭୁବନେଶ୍ୱର କରୋନାର ହଟସ୍ପଟ ହୋଇଥିବାରୁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଅଛି । ଏଠାରେ ବ୍ୟାପକ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି । ତେଣୁ ଆଗାମୀ 7ଦିନରେ 5 ହଜାର ସାମ୍ପଲ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ଏଠାରେ 1958ଟି ସାମ୍ପଲ ଟେଷ୍ଟ ହୋଇଛି । ଯାହା ରାଜ୍ୟର ମୋଟ ପରୀକ୍ଷଣର 38 ପ୍ରତିଶତ । ଏହା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ‘ଟେଷ୍ଟ ପାଇଁ ଭୁବନେଶ୍ୱରରେ ଲ୍ୟାବ୍‌ର ଅପଗ୍ରେଡେସନ୍‌ ହେବ । ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ସାମ୍ପଲ ସଂଗ୍ରହ କରାଯିବ । ମୋବାଇଲ ଭ୍ୟାନ୍‌ ବୁଲି ମଧ୍ୟ ସାମ୍ପଲ ସଂଗ୍ରହ କରିବ । ତେବେ ରଣନୀତି ଅନୁଯାୟୀ 4ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ । ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକ ଓ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ନିଆଯିବ । ତା’ସହିତ ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍ ଓ ପରିମଳ କର୍ମଚାରୀଙ୍କ ସାମ୍ପଲ ଟେଷ୍ଟ ହେବ । 60 ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ ହେବ ।’

ବର୍ତ୍ତମାନ ସୁଦ୍ଧା ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ମୋଟ 7ଟି ଲ୍ୟାବ୍‌ରେ 7ହଜାର577 ନମୁନା ପରୀକ୍ଷଣ କରାଯାଇଛି । ସେଥିରେ 60ଟି ପଜେଟିଭ ଆସିଛି । ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ 46ଟି ପଜେଟିଭ କେସ ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ 60 ଆକ୍ରାନ୍ତଙ୍କ ମଧ୍ୟରୁ 19 ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ 40 ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି । ତେବେ ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ଜୋନ, ଲକଡାଉନ ଏବଂ ସଟଡାଉନ ଭଳି କଡା ପଦକ୍ଷେପ ଯୋଗୁ ଭୁବନେଶ୍ୱର ସହ ରାଜ୍ୟରେ ଗତ 2 ଦିନ ହେଲା ଗୋଟିଏ ବି ନୂଆ ପଜେଟିଭ କେସ ମିଳିନାହିଁ ।


ସେୟାର କରନ୍ତୁ