ଭାରତୀୟ ପୂର୍ବତନ କ୍ରିକେଟିୟର ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି

ଖେଳ
ସେୟାର କରନ୍ତୁ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ସେହିଭଳି କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ସଂପାଦକ ପଦ ମିଳିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଅରୁଣ ଧୁମଲ ଯେକି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ କୋଷାଧ୍ୟକ୍ଷ ପଦରେ ଅବସ୍ଥାପିତ ହେବେ ବୋଲି ଜଣାପଡିଛି । ରବିବାର ବିସିସିଆଇ ସୂତ୍ରରୁ ଏହା ଜଣାପଡ଼ିଅଛି । ତେବେ ଏଥିନେଇ ଆସନ୍ତା କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଘୋଷଣା ହେବାର ରହିଛି । ବର୍ତ୍ତମାନ 47 ବର୍ଷୀୟ ଗାଙ୍ଗୁଲି ସଂପ୍ରତି ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)ର ସଭାପତି ଅଛନ୍ତି । ସେଥିପାଇଁ ସେ ମାତ୍ର 10 ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ରହି ପାରିବେ। ସିଏବି ଏବଂ ବିସିସିଆଇ ସଭାପତି ଭାବେ 6 ବର୍ଷ ପୂରଣ କରିବା ପରେ ଲୋଧା ସମିତି ସୁପାରିସ ମୁତାବକ ତାଙ୍କୁ କୁଲିଂ ଅଫ୍ ପିରିୟଡ୍‌ରେ ଯିବାକୁ ହେବ ।
ସଭାପତି ପଦ ଦୌଡ଼ରେ ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ । ସେ ଗତ ଦୁଇ ଦୁଇ ସପ୍ତାହ ହେବ ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନଙ୍କ ସହଯୋଗରେ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଥିଲେ । ହେଲେ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ ଅଧିକାଂଶ ସଦସ୍ୟ । ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କୁ ପୂର୍ବାଞ୍ଚଳ ସହ ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ । ବ୍ରିଜେଶ ଶେଷ ପର୍ଯ୍ୟନ୍ତ ପ୍ରମୁଖ ଦାବିଦାର ଥିଲେ, କିନ୍ତୁ ଶେଷ ପର୍ଯ୍ୟାୟରେ ଗାଙ୍ଗୁଲି ବାଜି ମାରି ନେଇଥିଲେ । ଆଇପିଏଲ୍ ଅଧ୍ୟକ୍ଷ ପଦ ବ୍ରିଜେଶଙ୍କୁ ଖୁସି କରିବା ଲାଗି ତାଙ୍କୁ ଦିଆଯାଇପାରେ ।


ସେୟାର କରନ୍ତୁ