ଶ୍ରୀମନ୍ଦିରରେ ଏବେ ଥାଳି ଦରରେ ଅବଢ଼ା ମିଳିବ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ମହାପସାଦ

ରାଜ୍ୟ
ସେୟାର କରନ୍ତୁ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମନଇଛା ଅବଢ଼ା ବିକ୍ରି ହେଉଥିବାରୁ ଏହାକୁ ଏକ ସରଳ ଢ଼ାଞ୍ଚାରେ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏବେ ଭକ୍ତମାନେ ଉଚିତ୍ ମୂଲ୍ୟରେ ଅବଢ଼ା ପାଇପାରିବେ । ଭକ୍ତମାନଙ୍କୁ ଥାଳି ଦରରେ ଅବଢ଼ା ଦିଆଯିବାର ବିଚାରବିମର୍ଶ କରାଯାଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କ ସୂଚନା ଅନୁଯାୟୀ, ତିନି ପ୍ରକାର ଦରରେ ଭକ୍ତମାନଙ୍କୁ ମହାପ୍ରସାଦ ମିଳିପାରିବ । ଥାଳି ଦର ୭୦ଟଙ୍କାରୁ ଆରମ୍ଭ ହେବ । ସେହିପରି ୮୦ଟଙ୍କା ଓ ୧୨୦ଟଙ୍କାରେ ମଧ୍ୟ ଥାଳିର ଉପଳବ୍ଧ ହେବ । ୭୦ଟଙ୍କିଆ ଥାଳିରେ ରହିବ ସାଧା ଅନ୍ନ, ଡାଲି, ତରକାରୀ ଆଦି ଖାଇବା ଜିନିଷ ।

ଏହାଛଡ଼ା ୧୨୦ଟଙ୍କିଆ ଥାଳିରେ ମିଳିବ ଖେଚୁଡ଼ି, କାନିକା, ମିଷ୍ଟାନ୍ନ ସହିତ ଅନ୍ୟାନ୍ୟ ଖାଇବା ଜିନିଷ । ତେବେ କେବେଠାରୁ ଏହା ଲାଗୁ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉକ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଏହା ଲାଗୁ କରାଯିବ ବୋଲି ସୂଚନା ମିଳିଛି ।


ସେୟାର କରନ୍ତୁ