ରାଜ୍ୟରେ ଜାନୁୟାରୀ 8ରୁ ଖୋଲିବ ସ୍କୁଲ, 100 ଦିନ ପାଇଁ ହେବ ପାଠପଢ଼ା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କରୋନା ପ୍ରଭାବରୁ ଦୀର୍ଘ 9 ମାସ ଧରି ବନ୍ଦ ରହିଥିବା ସ୍କୁଲ ଏବେ ଖୋଲିବ ବୋଲି ସରକାର ନିଷ୍ପତି ନେଇଛନ୍ତି । ଏବେ କରୋନାର ପ୍ରଭାବ ଟିକେ ଥମିବାକୁ ଲାଗିଅଛି । ପିଲାମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତି ନେଇ ସ୍କୁଲ କେବେ ଖୋଲିବ ଏବଂ ନ ଖୋଲିବାର ପରିକଳ୍ପନାର ଅନ୍ତ ଘଟାଇଛନ୍ତି । ଆସନ୍ତା ଜାନୁଆରୀ 8 ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ଉଭୟ କ୍ଲାସ ପାଇଁ 100 ଦିନ ପାଠ ପଢ଼ା ହେବ ବୋଲି ନିର୍ଣ୍ଣୟ ନିଆଯାଇଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ 8ରୁ ଏପ୍ରିଲ 26 ଯାଏଁ ପାଠପଢ଼ା ଓ ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ 8ରୁ ଏପ୍ରିଲ 28 ଯାଏଁ ପାଠପଢ଼ା ହେବ । ଦଶମ, ପ୍ଲସ 2 ପିଲାଙ୍କ ପାଇଁ ଶନିବାର ଓ ରବିବାର ପାଠପଢା ହେବ । ଶନି, ରବିକୁ ମିଶାଇ ମୋଟ 100 ଦିନ ପାଠପଢା ହେବ ।

ଦଶମ ବୋର୍ଡ ପରୀକ୍ଷା ମେ 3ରୁ 15 ତାରିଖ ପର୍ଯ୍ୟନ୍ତ ହେବ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ 15ରୁ ଜୁନ୍ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ 27ରୁ ମେ 2 ତାରିଖ ଯାଏଁ ହେବ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ 29ରୁ ମଇ 14 ତାରିଖ ପର୍ଯ୍ୟନ୍ତ ହେବ ।

ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ 100 ଦିନ ପାଠପଢ଼ା ହେବା ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ ।

ଏଠାରେ ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ୍ଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।


ସେୟାର କରନ୍ତୁ