ବିମାନ ବନ୍ଦରରୁ ପୁଣି ଏକ କେଜି ସୁନା ଜବତ, ଦୁଇ ଅଟକ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବିଜୁପଟ୍ଟନାୟକ ବିମାନ ବନ୍ଦର ସୁନା ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି । ପୁଣି ବିମାନ ବନ୍ଦରରୁ ଆଜି ଏକ କେଜି ସୁନା ଜବତ କରିଛି କଷ୍ଟମ ବିଭାଗ । ବ୍ୟାଙ୍କକରୁ ଦୁବାଇ ଦେଇ ଏୟାର ଇଣ୍ଡିଆ ବିମାନ ଏ୧-୩୩୯ ଓ ଏ୧-୦୭୭ରେ ଦୁଇ ଜଣ ବ୍ୟବସାୟୀ ସୁନା ଆଣି ଆସୁଥିବା ବେଳେ ଗୁଇନ୍ଦା ଓ କଷ୍ଟମ ବିଭାଗ ହାତରେ ଧରା ପଡିଥିଲେ । ସେମାନଙ୍କଠାରୁ ଏକ କେଜି ଓଜନର ସୁନା ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ ୩୧ ଲକ୍ଷ ୫୪ ହଜାର ଟଙ୍କା ହେବ ବୋଲି କଷ୍ଟମ ବିଭାଗ ଆକଳନ କରିଛି । ଜବତ ସୁନା ମଧ୍ୟରେ ରହିଛି ଦୁଇଟି ସୁନାଚେନ, ଗୋଟିଏ ସୁନା ବଳା ଓ କିଛି ସୁନା ପାତିଆ ।

ବିମାନବନ୍ଦରରେ ଯାଚଂ ବେଳେ କଷ୍ଟମ ବିଭାଗ ହାତରେ ପଡିଥିଲେ ଦୁଇ ବ୍ୟବସାୟୀ । ସେମାନଙ୍କ ବ୍ୟାଗ ଚେକିଂ ପରେ ଏତେ ପରିମାଣର ସୁନା ବାହାରିଥିଲା । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଜଣଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡିଛି ।

୭ ମାସ ମଧ୍ୟରେ କଷ୍ଟମ ବିଭାଗ ଯାଚଂ ବେଳେ ୧୪ କେଜିରୁ ଉର୍ଦ୍ଧ ସୁନା ଜବତ କରିବା ସହ ୩୫ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ସୁନା ଚେରା ଚାଲାଣ ଘଟଣାରେ ଏକ ରାକେଟ ସକ୍ରୀୟ ଥିବା କଷ୍ଟମ ବିଭାଗ ସୂଚନା ପାଇଛି । ବ୍ୟବସାୟୀମାନେ ଭିନ୍ନ ଭିନ୍ନ ତରିକା ଆପଣେଇ ସୁନା ବାହାର ଦେଶରୁ ରାଜଧାନୀକୁ ବିମାନ ଯୋଗେ ଆଣୁଥିବା ତଦନ୍ତରୁ ଜଣାପଡିଛି ।

ଗତ ୨୧ ତାରିଖ ଦିନ ଜଣେ ବ୍ୟବସାୟୀ ମଳଦ୍ୱାରରେ ୯ଲକ୍ଷ ଟଙ୍କାର ସୁନା ଖାଡ଼ି ଆଣୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡିଥିଲେ । ସେହିଭଳି ଗତ ୧୮ ତାରିଖରେ ଜଣେ ଯୁବକଙ୍କଠାରୁ ୧୧ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା । ଗତ ୧୪ ତାରିଖ ଦିନ ଜଣେ ଯାତ୍ରୀ ମଳଦ୍ୱାରାରେ ୧୨ଲକ୍ଷ ଟଙ୍କାର ସୁନା ଆଣୁଥିବା ବେଳେ ଧରାପଡିଥିଲେ । ବିମାନ ବନ୍ଦରରୁ ବାରମ୍ବାର ଏହିଭଳି ସୁନା ଜବତ ହେବା ଘଟଣା ପଛରେ ଏକ ଗ୍ୟାଙ୍ଗ ରାଜଧାନୀରେ ଅପରେଟ କରୁଥିବା ମଧ୍ୟ କଷ୍ଟମ ବିଭାଗ ଜାଣିବାକୁ ପାଇଛି ।


ସେୟାର କରନ୍ତୁ