ଚିକିତ୍ସା ଅବହେଳାରୁ ମା’ ଓ ଶିଶୁଙ୍କ ଜୀବନ ଗଲା…ଡାକ୍ତରଙ୍କ ବଦମାସୀ ଅଭିଯୋଗ…କ୍ଷତିପୂରଣ ଦାବିରେ ବିକ୍ଷୋଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଡାକ୍ତର ହିଁ ଭଗବାନଙ୍କ ଅନ୍ୟ ରୂପ ଏହା ସମସ୍ତେ ବିଶ୍ୱାସ କରନ୍ତି । କାରଣ ଦେହ ଖରାପ ହେଲେ ଜଣେ ଯତ୍ନବାନ ଡାକ୍ତର ହିଁ ଏହାକୁ ଭଲ କରିପାରନ୍ତି । ଯାହା ସେମାନଙ୍କ ପାଇଁ ବହୁ ପ୍ରସଂଶା ଆଣି ଦେଇଥାଏ । ହେଲେ ସମାଜରେ ଏମିତି ବି କିଛି ଡାକ୍ତର ଅଛନ୍ତି, ଯାହାଙ୍କ ପାଇଁ ପୁରା ହସ୍ପିଟାଲ ଅପମାନ ସହିବାକୁ ପଡେ । ଏମିତିି ଏକ ଘଟଣା ରବିବାର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଯାହା ରୋଗିଙ୍କ ପରିବାର ଓ ତା’ର ସମ୍ପର୍କୀୟଙ୍କ ମନରେ କ୍ରୋଧର ଜ୍ୱଳା ଆଣିଦେଇଛି । ଲୋକେ ଏହାକୁ ନେଇ ଅନ୍ଦୋଳନ ତୀବ୍ର କରିବା ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । କେହି କେହି ତ ରାଗରେ ଜର୍ଜରିତ ହୋଇ କହିଛନ୍ତି, ଡାକ୍ତରଙ୍କ ବଦମାସୀ ଯୋଗୁ ଏପରି ଘଟଣା ଘଟିଛି ।

ଚିକିତ୍ସା ଅବହେଳା ଯୋଗୁଁ ଜଣେ ମା’ ଓ ଶିଶୁର ମୃତ୍ୟୁକୁ ନେଇ କିମ୍ସ ହସ୍ପିଟାଲ ସମ୍ମୁଖରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ସମ୍ପର୍କୀୟମାନେ କ୍ଷତିପୂରଣ ଦାବି କରି ହୋହଲ୍ଲା କରିବାରୁ ରୋଗୀ ସେବାରେ ବାଧାପ୍ରାପ୍ତ ଦେଖାଦେଇଥିଲା । ଆନ୍ଦୋଳନକାରୀ ଡାକ୍ତରଙ୍କୁ ଦାୟୀ କରିବା ସହ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଏଥିସହ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଏହାକୁ ନେଇ ହସ୍ପିଟାଲରେ କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବର ପାଇ ଇନଫୋସିଟି ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଉତ୍ୟକ୍ତ ଲୋକେ ସମସ୍ତ ଦୋଷ ଡାକ୍ତରଙ୍କ ଉପରେ ଲଦିଥିଲେ । ଏପରି ପରିସ୍ଥିତିକୁ ଦେଖି ହସ୍ପିଟାଲ ସମ୍ମୁଖରେ ଫୋର୍ସ ମୁତୟନ କରାଯାଇଥିଲା ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଞ୍ଚେଶ୍ୱର ଥାନା ନିକଟସ୍ଥ ଟାଙ୍ଗିବନ୍ତ ଗ୍ରାମର ସୁନିତା ବେହେରା (୨୭) ଗର୍ଭବତୀ ଥିଲେ । ଚିକିତ୍ସା ପାଇଁ ପ୍ରତି ମାସରେ କିମ୍ସ ହସ୍ପିଟାଲକୁ ଯାଉଥିଲେ । ଡାକ୍ତର ସୁନିତାଙ୍କୁ ୧୫ ତାରିଖରେ ଡେଲିଭରି ହେବ ବୋଲି କହିଥିଲେ । ସୁନିତା ୧୧ ତାରିଖରୁ ହସ୍ପିଟାଲରେ ଆଡିମିଟ ହୋଇଥିଲେ । ଏଥିପାଇଁ ସମସ୍ତ ଟେଷ୍ଟ ମଧ୍ୟ କରାଇଥିଲେ । ଚିକିତ୍ସିତ ହେବା ସମୟରେ ତାଙ୍କୁ ଦେଖୁଥିବା ଡାକ୍ତର ଦିନେ ନଆସିବାରୁ ଅନ୍ୟ ଜଣେ ଡାକ୍ତର ତାଙ୍କୁ ଚିକିତ୍ସା କରି ଆଉ ଥରେ ସମସ୍ତ ଟେଷ୍ଟ କରିବାକୁ କହିଥିଲେ । ଏଥିରେ ପରିବାର ଲୋକେ ବିରୋଧ କରିଥିଲେ । ଫଳରେ ଡାକ୍ତର ଓ ରୋଗୀଙ୍କ ପରିବାର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ସେପଟେ କିନ୍ତୁ ସୁନିତା ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଚିକିତ୍ସାରେ ବିଳମ୍ବ ହେବାରୁ ଗୁରୁତର ଅବସ୍ଥାରେ ସୁନିତାଙ୍କୁ ଆଜି ପ୍ରସୂତି ରୁମକୁୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିବା ସହ ପେଟ ଭିତରେ ଥିବା ଶିଶୁକନ୍ୟାର ମଧ୍ୟ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲରେ ହୋହାଲ୍ଲା କରିଥିଲେ । ଗୋଟିଏ ପଟେ ରୋଗୀଙ୍କ ସଂପର୍କୀୟ କ୍ଷତିପୂରଣ ଦାବିରେ ଅଡି ବସିଥିବା ବେଳେ ସେପଟେ ହସ୍ପିଟାଲ କତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କତ୍ତୃପକ୍ଷ ଏହା ମଧ୍ୟ କହିଥିଲେ, ଚିକିତ୍ସା ବାବଦକୁ ୯୦ ହଜାର ଟଙ୍କା ବାକିଥିବା ଅର୍ଥ ପଇଠ ନକଲେ ଶବକୁ ଛାଡିବେ ନାହିଁ । ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରୁ ଇନଫୋସିଟି ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଚିକିତ୍ସା ବାବଦକୁ ବାକିଥିବା ୯୦ ହଜାର ଟଙ୍କା କର୍ତ୍ତୃପକ୍ଷ ନେବେ ନାହିଁ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।


ସେୟାର କରନ୍ତୁ