ଅନଲାଇନରେ ପ୍ରେମ…ବାହା ହେବା ଆଳ ଦେଖାଇ ଯୁବତୀଙ୍କଠାରୁ ୧୦ଲକ୍ଷ ଟଙ୍କା ହରିଲୁଟ, ଦୁଇ ବିଦେଶୀ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ଆକସେପ୍ଟ । ପରେ ଘଣ୍ଟା ଘଣ୍ଟା ଧରି ଚାଟ ଓ ତା ପରେ ଅନଲାଇନରେ ପ୍ରେମ ସମ୍ପର୍କ ରଖିବା ଜଣେ ଯୁବତୀଙ୍କୁ ଅଡୁଆରେ ପକାଇଛି । ଖାଲି ଏତିକି ନୁହେଁ ଦାମି ଗିଫ୍ଟ ଦେବା ଓ ପରେ ବିବାହ କରିବା ଆଳ ଦେଖାଇ ଉକ୍ତ ଯୁବତୀଙ୍କଠାରୁ ୧୦ଲକ୍ଷ ଟଙ୍କା ହରିଲୁଟ କରିଛନ୍ତି ଦୁଇ ବିଦେଶୀ ଦଲାଲ । ଅଭିଯୋଗ ଆସିବା ପରେ ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ସେଲ ଗତ ଶୁକ୍ରବାର ଚଢ଼ଉ କରି ଦୁଇ ବିଦେଶୀ ଦଲାଲଙ୍କୁ ଦିଲ୍ଲୀରୁ ଗିରଫ କରିଛି । ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣି ଜେରା କରାଯିବ ବୋଲି ପୁଲିସ କହିଛି । ଅଭିଯୁକ୍ତ ଦ୍ୱୟ ହେଲେ ପଶ୍ଚିମ ଆଫ୍ରିକା ନାଇଜେରିଆ ଅଞ୍ଚଳର ଜାଓଜାଓ ଆଲେକ୍ସ ଓ ଇରିକୁମେ । ସେମାନଙ୍କ ନିକଟରୁ ପୁଲିସ ଲ୍ୟାପଟପ, ମୋବାଇଲ ଫୋନ ଓ ସିମକାର୍ଡ ଜବତ କରିଛି ।

ସୂୂଚନା ଅନୁଯାୟୀ, ଅନ୍ୟଙ୍କୁ ଠକିବା ପାଇଁ ଦୁଇ ଅଭିଯୁକ୍ତ ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲିଥିଲେ । ଆମେରିକାରେ ଡାକ୍ତର ଥିବା କହି ଭୁପିନ୍ଦର ସିଂ ନାଁରେ ପ୍ରୋଫାଇଲ ରଖିଥିଲେ । ଟଙ୍କା ହଡ଼ପ କରିବା ଆଶାରେ ସେମାନେ ଭୁବନେଶ୍ୱରର ଏମ ବିଶ୍ୱାଳ ନାମକ ଜଣେ ଯୁବତୀଙ୍କୁ ମିଛ ଜାଲରେ ଫସାଇଥିଲେ । ସେମାନେ କରିଥିବା ଫେକ ଆକାଉଣ୍ଟରୁ ମହିଳା ଜଣଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ । ଏହାକୁ ଆକସେପ୍ଟ କରିବା ପରେ ମହିଳାଙ୍କ ସହ ବିଭିନ୍ନ ଆଳ ଦେଖାଇ କଥା ହୋଇଥିଲେ । କେବେ ବିବାହ କରିବା ପାଇଁ ପ୍ରତିଶ୍ରୁତି ତ କେବେ ବିଦେଶରୁ ଦାମି ଗିଫ୍ଟ ଦେବାର ଲାଳସା । ଏସବୁ ଶୁଣି ମହିଳା ଜଣଙ୍କ କିଛି ସମୟ ପାଇଁ ସେମାନଙ୍କ ଜାଲରେ ପଡି ଯାଇଥିଲେ । ବାସ ଏହା ପରେ ଅଭିଯୁକ୍ତ ଦ୍ୱୟ ଯୁବତୀଙ୍କଠାରୁ ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲେ । ବ୍ୟାଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଖାଲି ହେବା ପରେ ଯୁବତୀଙ୍କର ଚେତା ପଶିଥିଲା । ସେ ଠକେଇର ଶୀକାର ହୋଇଥିବା ଜଣିବାକୁ ପାଇଥିଲେ ।

ଗତ ଫ୍ରେବୃଆରୀ ୧୩ ତାରିଖରେ ଯୁବତୀ ଜଣଙ୍କ ସାଇବର ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଦିଲ୍ଲୀରୁ କିଛି ସୁରାକ ମିଳିବା ପରେ ପୁଲିସ ଟିମ ସେଠାକୁ ଛାନଭିନ କରିବା ଲାଗି ଯାଇଥିଲା । ସେଠାରେ ଚଢ଼ଉ କରି ପୁଲିସ ଅଭିଯୁକ୍ତ ଦ୍ୱୟକୁ ଗିରଫ କରିଥିଲା । ସମାନ ଢ଼ଙ୍ଗରେ ଦୁଇ ଅଭିଯୁକ୍ତ ଦିଲ୍ଲୀ, ମୁମ୍ବାଇ ଓ ଓଡ଼ିଶାର ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।


ସେୟାର କରନ୍ତୁ