ନକଲି ବନ୍ଧୁକ ଦେଖାଇ ଡକାୟତି, ୬ ଅନ୍ତରାଜ୍ୟ ଅପରାଧୀ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ନକଲି ବନ୍ଧୁକ ଦେଖାଇ ଅତଙ୍କ ମଚାଇଥିବା ୬ ଅନ୍ତରାଜ୍ୟ ଅପରାଧୀଙ୍କୁ କମିଶନରେଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ପେଶାଲ ସ୍କ୍ୱାର୍ଡ ଓ ଇନଫୋସିଟି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ସେମାନଙ୍କୁ ଧରିଛି । ସେମାନେ ହେଲେ ବାଲିଅନ୍ତାର ଉମେଶଚନ୍ଦ୍ର ସାହୁ, ଖୋର୍ଦ୍ଧା ଗୁରୁଜଙ୍ଗର ଲୋକନାଥ ସାହୁ, କଟକ ବାଦାମବାଡ଼ିର ପଞ୍ଚମ ସାହା, ଖୁଣ୍ଟୁଣୀର ପବିତ୍ର ମୋହନ ମଲ୍ଲିକ, ଗୁଡୁ ସାମଲ ଓ କଟକ ମହାନଦୀ ବିହାରର ରାକେଶ ମହାପାତ୍ର । ସେମାନଙ୍କ ନିକଟରୁ ଦୁଇଟି ନକଲି ବନ୍ଧୁକ, ୩ଟି ବାଇକ, ୧୯ଗ୍ରାମ ଓଜନର ସୁନା ଗହଣା ଓ ମୋବାଇଲ ଫୋନ ପୁଲିସ ଜବତ କରିଛି ।

ସବୁଠୁ ବଡ଼ କଥା ହେଉଛି, ଏହି ଅଭିଯୁକ୍ତମାନେ ନକଲି ବନ୍ଧୁକ ଦେଖାଇ ବଡ଼ବଡ଼ିଆଙ୍କୁ ଟାର୍ଗେଟ କରଥାନ୍ତି । ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଡକାୟତି କରନ୍ତି । କିଛି ଦିନ ତଳେ ଅଭିଯୁକ୍ତମାନେ ବାଲିଅନ୍ତା ଅଞ୍ଚଳରେ ଏକ ଘରୁ ବନ୍ଧୁକ ଦେଖାଇ ଲୁଟପାଟ କରିଥିଲେ । ଖାଲି ଏତିକି ନୁହେଁ ଚଳିତ ବର୍ଷ ଏପ୍ରେଲ ମାସରେ କାନନ ବିହାର ଫେଜ-୨ରେ ସୁବାଶ ଚନ୍ଦ୍ର ନାୟକଙ୍କ ଘରେ ପଶି ଲୁଟପାଟ କରିଥିଲେ । ଘରେ କେହି ନଥିବା ବେଳେ ଜଣେ ବୃଦ୍ଧାଙ୍କ ଗୋଡହାତ ବାନ୍ଧି ମୁଣ୍ଡରେ ବନ୍ଧୁକ ଲଗାଇ ୧୯ଗ୍ରାମରୁ ଅଧିକ ଓଜନର ସୁନା ଗହଣା ଲୁଟି ନେଇଥିଲେ ।

ଅଭିଯୁକ୍ତଙ୍କ ବିରୋଧରେ ବାଲିଅନ୍ତା ଥାନାରେ ୨ଟି ମାମଲା, ଇନଫୋସିଟି (୧ ମାମଲା), କଟକ କନ୍ଦରପୁର ଓ ଚୌଦ୍ୱାର ଥାନା ମାନଙ୍କରେ ଗୋଟାଏ ଲେଖାଏଁ ମାମଲା ରହିଛି । ଏହି ଗ୍ୟାଙ୍ଗରେ ଅନ୍ୟ ସଦସ୍ୟଙ୍କ ସଂପୃକ୍ତି ଅଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।


ସେୟାର କରନ୍ତୁ