ପିଲା ଚୋରି ଗୁଜବ…ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୁଲିସକୁ ଜଣାଓ…ନିର୍ଦ୍ଦେଶନାମା ଜାରି କଲେ ଡିଜିପି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ପିଲା ଚୋରି ଅତଙ୍କ ମାଡି ବସିଛି । ଯାହା ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ପୁଣି ସମସ୍ତଙ୍କ ପାଟିରେ ଗୋଟିଏ ପ୍ରଶ୍ନ- ସତରେ କ’ଣ ପିଲା ଚୋରି ହେଉଛି? କ’ଣ ସନ୍ଦିଗ୍ଧ ବ୍ୟକ୍ତି ଅନ୍ୟ ରାଜ୍ୟରୁ ଆସି ପିଲା ଚୋରି କରୁଛନ୍ତି । ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଫଳସ୍ୱରୂପ ନିରିହ ବ୍ୟକ୍ତି ଲୋକଙ୍କ ଆକ୍ରୋଶର ଶୀକାର ହେଉଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ପୁଲିସ ତତ୍ପର ହୋଇ ଉଠିଛି । ପିଲା ଚୋରି ସମ୍ପୁର୍ଣ୍ଣ ମିଛ ବୋଲି ରାଜ୍ୟବାସୀଙ୍କୁ ରୋକଠୋକ ଶୁଣାଇଦେଇଛି ।

ପିଲା ଚୋରି ନେଇ ଚାଲିଥିବା ପ୍ରଚାର ଗୁଜବ, ଏଥିରେ କୌଣସି ସତ୍ୟତା ନାହିଁ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଖାଲି ଏତିକି ନୁହେଁ ଭୁଲ କରୁଥିବା ବ୍ୟକ୍ତିବିଶେଷଙ୍କୁ ସାବାଡ଼ କରିବା ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ସମସ୍ତ ଏସପିମାନଙ୍କୁ ଏନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ପିଲା ଚୋରି ରାକେଟ ଭିିତ୍ତିହୀନ । ଏହା ଏକ ଗୁଜବ, ଏପରି ଗୁଜବକୁ ଫେସବୁକ, ହ୍ୱାଟ୍ସଆପରେ ନ ଛାଡିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଭାଷା ଜାଣିନଥିବା ଲୋକଙ୍କୁ ସନ୍ଦିଗ୍ଧ ଭାବିବା ଭୁଲ । ଚୋର ଛୋଟ ପିଲାଙ୍କ ଆଖି, କିଡନୀ କାଢ଼ି ନେଉଥିବା କଥା ମିଥ୍ୟା ପ୍ରଚାର । ଅଜଣା ଲୋକଙ୍କୁ ଆକ୍ରମଣ କରି ଆଇନକୁ ହାତକୁ ନ ନେବାକୁ ଶ୍ରୀ ଶର୍ମା ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ଶର୍ମା କହିଛନ୍ତି ଯେ, ଯଦି ସେଭଳି କୌଣସି ଅଜଣା ବ୍ୟକ୍ତିଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖନ୍ତି ସଂଗେ ସଂଗେ ସ୍ଥାନୀୟ ପୁଲିସକୁ ଯୋଗଯୋଗ କରନ୍ତୁ । ସୋସିଆଲ ମିଡିଆରେ ଏଭଳି ଘଟଣା ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପ୍ରତି ସମସ୍ତ ଏସପି ମାନଙ୍କୁ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ହେବ ଏଭଳି ଅପପ୍ରଚାରକୁ ନେଇ ବିଭିନ୍ନ ଜିଲ୍ଲାରେ ଅଜଣା ଯୁବକମାନଙ୍କୁ ମାଡ ମରାଯାଉଛି । ଯାହାକୁ ନେଇ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ହେବ ଏକ ଖବର ପ୍ରଚାର ହେଉଛି କି ବିହାରରୁ ୫୦୦ ପିଲା ଚୋର ଓଡିଶା ଆସିଛନ୍ତି । ସେମାନେ ପିଲାମାନଙ୍କୁ ମାରି ଦେଉଛନ୍ତି ଓ ଆଖି ତାଡି ନେଉଛନ୍ତି । ଏଭଳି ଘଟଣା ଗୁଜବ ବୋଲି ପୁଲିସ କହିବା ପରେ ବି ହିଂସା କମିବାର ନା ଧରୁନାହିଁ । ଏହି ଗୁଜବ ପ୍ରଚାରିତ ହେବା ପରେ ଲୋକେ ବିଭିନ୍ନ ଅଂଚଳରେ ଅଜଣା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରିଛନ୍ତି । ସୋସିଆଲ ମିଡିଆରେ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ପିଲା ଚୋରି ନେଇ ଭିଡିଓ ଭାଇରାଲ ହେବ ଯୋଗୁଁ ରାୟଗଡ଼ା, କେନ୍ଦ୍ରପଡ଼ାର ରାଜନଗର ଓ ଆନ୍ଧ୍ରପ୍ରଦେଶ ନେଲୁର ଜିଲ୍ଲାରେ ମଧ୍ୟ ଆତଙ୍କ ଦେଖାଦେଇଛି । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ପୁଲିସ ଡିଜିପି ଉଦବେଗ ପ୍ରକାଶ କରିବା ସହ ୩୦ଟି ଜିଲ୍ଲାର ଏସପିମାନଙ୍କୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।


ସେୟାର କରନ୍ତୁ