ମଦ ଜାଗାରେ ବ୍ରାଉନସୁଗର ବେପାର…କ୍ୟୁଏଟିର ଅଚାନକ ଚଢ଼ଉ, ୩ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପଳାସୁଣୀ ଅଞ୍ଚଳରେ ଜୋରଦାର ଚାଲିଥିଲା ରାତିଅଧିଆ ମଦ ବେପାର । ଯାହାର ବାଦଶାହା ଥିଲା ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ । ପଳାଶୁଣୀ ମଦ କାଉଣ୍ଟର ସାମ୍ନାରେ ଧୋବା ନାମକ ଜଣେ କୁଜି ମଦ ବ୍ୟବସାୟୀକୁ ହତ୍ୟା କରିବା ଘଟଣାରେ ସେ ଏବେ ଝାରପଡ଼ା ଜେଲରେ ଦିନ ଗଣୁଛି । ତେଣୁ ତାର ଏହି ସାମରାଜ୍ୟ ଚଲାଇବା ପାଇଁ ସାନ ଭାଇ ଚିତରଞ୍ଜନ ରାଉତରାୟ ଓରଫ ଚିତ ଅଲଗା ଏକ ବାଟ ବାଛିଥିଲା ।

ଚିତ ମାସେ ହେଲା ଆରମ୍ଭ କରିଥିଲା ଜୋରଦାର ବେପାର । ଅଧିକ ଲାଭ ଆଶାରେ ମଦ ଜାଗାରେ ବିକୁଥିଲା ବ୍ରାଉନସୁଗର । ଗୁରୁବାର ଏହି ବେଆଇନ ବେପାର ଉପରେ ଲାଗିଛି ପୁଲଷ୍ଟପ । କମିଶନରେଟ ପୁଲିସର କୁଇକ ଆକ୍ସନ ଟିମ (କ୍ୟୁଏଟି) ଓ ଇନଫୋସିଟି ଥାନା ପୁଲିସ ଅଚାନକ ଚଢ଼ଉ କରି ଚିତ ଓ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ସେମାନେ ହେଲେ ମଞ୍ଚେଶ୍ୱର କଳାରାହାଙ୍ଗର କୃଷ୍ଣଚନ୍ଦ୍ର ନାଥ (୨୩) ଓ ପଳାଶୁଣୀ ମୁଣ୍ଡା ବସ୍ତିର ବିଜୟ ବେହେରା (୨୧) । ସେମାନଙ୍କ ନିକଟରୁ ପୁଲିସ ୨୦ ଗ୍ରାମ ବ୍ରାଉନସୁଗର, ୧ଲକ୍ଷ ୪୮ହଜାର ଟଙ୍କା, ବାଇକ, ମୋବାଇଲ ଓ ମାରଣାସ୍ତ୍ର ଜବବତ କରିଛି ।

ଖାଲି ଏଥିକି ନୁହେଁ ହାଡିଆ ଜେଲ ଗଲା ପରେ ଭାଇ ଚିତ ନିଶାକାରବାର ଚଲାଇବା ପାଇଁ ଧୋବାର ଭାଇ ବିଜୟକୁ ସାଙ୍ଗ କରିଥିଲା । ସେମାନଙ୍କୁ ସହଯୋଗ କରିବା ପାଇଁ କୃଷ୍ଣଚନ୍ଦ୍ରକୁ ରଖିଥିଲେ । ଚିତ କହିବା ଅନୁସାରେ କୃଷ୍ଣଚନ୍ଦ୍ର ଖୋର୍ଦ୍ଧାରୁ ବ୍ରାଉନସୁଗର ନେଇ ଭୁନନେଶ୍ୱର ଆସୁଥିବା ବେଳେ ଇନଫୋସିଟି ଥାନା ରାସ୍ତାରେ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା । ତାକୁ ପଚରାଉଚରା କରିବା ପରେ ରାକେଟରେ ଚିତ ମାଷ୍ଟରମାଇଣ୍ଡ ବୋଲି ସେ ପୁଲିସ ସମ୍ମୁଖରେ କହିଥିଲା । ଚିତ ଓ ବିଜୟକୁ ଧରିବା ପାଇଁ କ୍ୟୁଏଟିକୁ ଦାୟିତ୍ୱ ଦିଆଯାଇଥିଲା । କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କା ନେତୃତ୍ୱରେ ଏକ ଟିମ ପଳାଶୁଣୀ ଅଞ୍ଚଳରେ ଅଚାନକ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।


ସେୟାର କରନ୍ତୁ