ଏଚଟୁଓ ସ୍ପାରେ ଚଢ଼ଉ ଘଟଣା: ସୀମା ଡେଇଁଲା ଖାରବେଳନଗର ପୁଲିସ, କ୍ୟାପିଟାଲ ପୁଲିସ ଜାଣି ବି ଚୁପ୍

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀ ବାପୁଜୀନଗରରେ ଥିବା ଏଚଟୁଓ ସ୍ପା ଆଣ୍ଡ ହମାମ ସେଣ୍ଟରରୁ କମିଶନରେଟ ପୁଲିସ ଶନିବାର ଚଢ଼ଉ କରି ସେକ୍ସ ରାକେଟ ଠାବ କରିଥିଲା ସତ ହେଲେ ନିଜ ସୀମା ଲଂଘି ଖରବେଳନଗର ଥାନା ପୁଲିସ ଏହି ରାକେଟକୁ ଧରିବା ସାଧାରଣ ଲୋକ ସହଜରେ ହଜମ କରିପାରୁ ନାହାନ୍ତି । ଅନ୍ୟପଟରେ କ୍ୟାପିଟାଲ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଏହି ସ୍ପା’ ବିଷୟରେ ସ୍ଥାନୀୟ ପୁଲିସ ଜାଣି ବି ଚୁପ ରହିବା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏତିକି ନୁହେଁ ସ୍ଥାନୀୟ ପୁଲିସ କୁଆଡେ ମୋଟା ଅଙ୍କର ଟଙ୍କା ଉଠାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହା ପଛରେ କେତେ ସତ ଲୁଚି ରହିଛି ତାହା ତଦନ୍ତ ପରିସରଭୂକ୍ତ ହେବା ଦରକାର ବୋଲି ଲୋକେ ମତ ରଖିଛନ୍ତି ।

ସେପଟେ ହାଇପ୍ରୋଫାଇଲ ସେକ୍ସ ରାକେଟର ମୂଳପୋଛ କରିବା ପାଇଁ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ କଡ଼ା ଅଭିମୂଖ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ରାଜଧାନୀର ବଡ ବଡ ସ୍ପା, ଗେଷ୍ଟହାଉସ ଓ ରେଷ୍ଟୁରାଣ୍ଟ ଉପରେ ଶ୍ରୀ ସାହୁ ତୀକ୍ଷ୍ଣ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏଥିପାଇଁ ସ୍ପେଶାଲ ସ୍କ୍ୱାଡ୍ କୁ ନିର୍ଦ୍ଦେଶ ଜାରି ହୋଇଛି । ଯାହା ଏବେ ହାତ ଗୁଞ୍ଜା ନେଉଥିବା ପୁଲିସ ବାବୁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଗିରଫ ସ୍ପା ମ୍ୟାନେଜର ରଞ୍ଜନ ରଣାଙ୍କ ସମେତ ୭ ଜଣଙ୍କୁ କ୍ୟାପିଟାଲ ଥାନା ପୁଲିସ ରବିବାର କୋର୍ଟ ଚାଲାଣ କରିଛି । ହେଲେ ଅଭିଯୁକ୍ତଙ୍କ ଦରଜ ପୁଲିସକୁ ହୋଇଛି । କାରଣ କୋର୍ଟ ଚାଲାଣ ହୋଇଥିବା ଗ୍ରାହକମାନଙ୍କ ପରିଚୟ ଦେବାକୁ ପୁଲିସ୍ ପଛଘୁଞ୍ଚା ଦେଇଛି । ଯାହା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଉକ୍ତ ସ୍ପାରେ ଚଢ଼ଉ କରି ପୁଲିସ ୮ ଜଣ ଥାଇଲାଣ୍ଡ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୭ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ପୁଲିସ ୨୨ ଟି ମୋବାଇଲ, କାର, ୮ ଟି ପାସପୋର୍ଟ ଓ କିଛି କାଗଜ ପତ୍ର ଜବତ କରିଥିଲା ।


ସେୟାର କରନ୍ତୁ