ଅଜଣା କଲ୍ ଅଟକାଇ ଦେଲା ରାଜଧାନୀରୁ ମଣିଷ ଚାଲାଣ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରୁ ଲମ୍ବିଛି ମାନବ ଚାଲାଣର ଚେର । ଅଧିକ ରୋଜଗାରର ଆଶା ଦେଖାଇ ଏଠାରୁ ମଣିଷଙ୍କୁ ବିଦେଶ ଚାଲାଣ କରାଯାଉଥିଲା । ହେଲେ ଅଜଣା କଲ୍ ଏହାକୁ ଅଟକାଇ ଦେଲା । ରାଜଧାନୀର ମାନବ ଚାଲାଣ ନେଇ ଏକ ଅଜଣା ଫୋନ୍ କଲ୍ କମିଶନରେଟ୍ ପୁଲିସ ପାଇବା ପରେ ଚଢଉ କରିଥିଲା । ଘଟଣାଟି ଘଟିଛି ରାଜଧାନୀର ଖଣ୍ଡଗିରି ଥାନା ଅଧିନ କୋଳଥିଆରେ । ଏଥିରେ ପୁଲିସ ଆଜି ୬ ଜଣଙ୍କୁ ଗିରଫ କରିଛି ।
ଅଭିଯୁକ୍ତମାନଙ୍କ ମଧ୍ୟରେ ଅଧା ମହାରାଷ୍ଟ୍ରର ଥିବା ଜଣାପଡିଛି । ସେମାନେ ହେଲେ ଅସଗର ଅଲି ସୟିଦ୍, ସାଜିଦ୍ ଅଲ୍ଲୀ ମାନିୟର, ସେକ୍ ନିଜାବୁଦ୍ଦିନ ଗୟାଉଦ୍ଦିନ ଓ ମୁସ୍ତାକ ମହମ୍ମଦ୍ ସଇକ୍ । ସେହିପରି ଓଡିଶାର ଦୁଇ ଅଭିଯୁକ୍ତ ଏଥିରେ ଅଛନ୍ତି । ସେମାନେ ହେଲେ ଖୋର୍ଦ୍ଧାର ପ୍ରମୋଦ କୁମାର ମହାରଣା ଓ ଚିତ୍ତରଞ୍ଜନ ମହାରଣା । ପ୍ରମୋଦ ଓମ୍ ଶ୍ରୀ ଟ୍ରାଭେଲ ଏଜେନ୍ସିର ନିର୍ଦ୍ଦେଶକ ବୋଲି ଜଣାପଡିଛି । ପୁଲିସ ସେମାନଙ୍କ ଠାରୁ ୭୫ଟି ପାସପୋର୍ଟ, ୨ଶହ ଜଣଙ୍କ ବାୟୋଡାଟା, ପ୍ୟାନକାଡ, ଭୋଟର କାର୍ଡ, ଆଧାର କାର୍ଡ ଓ ବିଭିନ୍ନ ଟୁର୍ ଓ ଟ୍ରାଭେଲ ସଂସ୍ଥାର କାର୍ଡ ଜବତ କରିଛି ।
ସୂଚନାଅନୁସାରେ, କୋଳଥିଆର ଏକ ହୋଟେଲରେ ସାକ୍ଷାତକାର ହେଉଥିବା ନେଇ ପୁଲିସ ଖବର ପାଇଥିଲା । କିଛି ବାହାର ସଂସ୍ଥା ଆସି ଏଠାରେ ନିଯୁକ୍ତି ଦେଉଥିବା ଜାଣି ଥାନା ପୁଲିସ ଚଢଉ କରିଥିଲା । ସାକ୍ଷାତକାର ଲୋକଙ୍କୁ ପୁଲିସ ପଚରାଉଚରା କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରେ ମାନବ ଚାଲାଣ ନେଇ ଚିତ୍ର ସ୍ପଷ୍ଟ ହୋଇଥିଲା । ମାନବ ଚାଲାଣ ନେଇ ଗତକିଛି ବର୍ଷ ହେବ ରାକେଟ୍ ସକ୍ରିୟ ହେବାରେ ଲାଗିଛି ।
ବିଦେଶରେ ଚାକିରି ଦେବାକୁ କହି ଗିରବ ଲୋକଙ୍କୁ ଏଠାରୁ ନିଆଯାଉଛି । ଦଲାଲମାନେ ଜଣଙ୍କ ପିଛା 50ରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିଶନ ପାଉଛନ୍ତି । ପରେ ସେମାନେ ସେଠାରେ ହଇରାଣ ହେଉଥିବା ବେଳେ ଅନେକଙ୍କର ମୃତ୍ୟୁ ହେଉଥିବା ନଜିର ରହିଛି । ଯେଉଁଥିପାଇଁ ଏଠାକାର ସରକାରଙ୍କୁ ଅନେକ ବଦନାମ ହେବାକୁ ପଡୁଛି । ରାଜଧାନୀରେ ଏପରି ଅନେକ ବେପାର ଗଳିକନ୍ଦିରେ ଖୋଲିଥିବା ବେଳେ ପୁଲିସ ଏସମ୍ପର୍କରେ ଠୋସ୍ ପ୍ରମାଣ ପାଇନପାରିବା ଆଶ୍ଚର୍ଯଚକିତ କରିଛି ।

ସେୟାର କରନ୍ତୁ