ହାସ୍ୟ ଅଭିନେତା ପପୁ ପମପମ ଗୁରୁତର, ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଗଲେ

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ଅସୁସ୍ଥ ଅନୁଭବ କରିବାରୁ ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଅସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅହୁରି ବିଗିଡିବାରୁ ଉନ୍ନତଧରଣର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି । ପପୁଙ୍କୁ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଛି । ସେଠାରେ ପହଞ୍ଚିଲା ପରେ ତାଙ୍କର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଛି ।

ପାନକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତିନିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିଲାଗି ରାଜ୍ୟ ଚଳଚ୍ଚିତ୍ର ନିଗମ ପକ୍ଷରୁ ତାଙ୍କୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀରେ ପପୁଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସ ହସ୍ପିଟାଲ କତୃପକ୍ଷଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କଥା ହୋଇଥିବା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ।

ପପୁଙ୍କ ଆଗାମୀ ଫିଲ୍ମ ‘ଫୋର ଇଡିଅଟ’ ଥାଇଲାଣ୍ଡରେ ସୁଟିଂ ଚାଲିଥିଲା । ସୁଟିଂ ବ୍ୟସ୍ତତାରେ ସେ ମଧ୍ୟାହ୍ନ ଭୋଜନ କରି ପାରିନଥିଲେ । ସୁଟିଂ ପରେ ବିଳମ୍ବରେ ଖାଦ୍ୟ ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପପୁ ଦେହ ଖରାପ ଖବର ଶୁଣି ଓଲିଉଡ ଅଭିନେତା ଓ ତାଙ୍କ ଫ୍ୟାନ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


ସେୟାର କରନ୍ତୁ