ସମାଜ ନେତୃତ୍ୱରେ ‘ରେଭେନ୍ସା ବାଳିକା ବିଦ୍ୟାଳୟ’ର ସ୍ଥାପନା ଓଡ଼ିଶାରେ ନାରୀଶକ୍ତି କଳ୍ପନାର ସବୁଠୁ ବଡ ପ୍ରମାଣ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

କଟକ : ଆଜକୁ ଦେଢ଼ ଶହ ବର୍ଷ ତଳେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାରେ ଶିକ୍ଷା ବିକାଶରେ ବିଶେଷତଃ ନାରୀଶିକ୍ଷାର ବିକାଶର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାର ସାକାର ରୂପ ହେଉଛି ରେଭେନ୍ସା ବାଳିକା ବିଦ୍ୟାଳୟ’ । ସମଗ୍ର ଭାରତବର୍ଷରେ ସମାଜ ନେତୃତ୍ୱରେ ଓଡିଶାରେ ନାରୀଶକ୍ତି କଳ୍ପନାର ଏହି ସ୍କୁଲ ସବୁଠୁ ବଡ ପ୍ରମାଣ ବୋଲି ଶନିବାର କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର 150 ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ନବଜାଗରଣର ଅଭ୍ୟୁଦୋୟ ହୋଇଥିବା ସ୍ଥାନରେ ୧୮୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ୱତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ୱର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦି, ଡକ୍ଟର ନିରୁପମା ରଥ, ରଜନୀ ଦେବୀ, ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ, ଡକ୍ଟର ଅର୍ଚ୍ଚନା ନାୟକଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଏହି ସ୍କୁଲରେ ତାଙ୍କ ମାଆ ମଧ୍ୟ ପାଠ ପଢୁଥିଲେ । ଯିଏ ମୋତେ ଜନ୍ମ ଦେଇଛନ୍ତି, ସେ ପଢିଥିବା ସ୍କୁଲକୁ ଆସିବାର ଅପେକ୍ଷା ଓ ଆକାଂକ୍ଷା ପୂରଣ ହୋଇଥିବାରୁ ନିଜକୁ କୃତଜ୍ଞ ମନେକରୁଛି । ଆଜିର ଦିନ ମୋ ଜୀବନର ଅବିସ୍ମରଣୀୟ ଦିନ ହୋଇ ରହିବ । ଏହି ଶିକ୍ଷାନୁଷ୍ଠାନ ଓଡ଼ିଆ ସ୍ୱାଭିମାନର ପ୍ରୟୋଗଶାଳା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାର ମାତ୍ର କିଛି ବର୍ଷ ପୂର୍ବରୁ ଅର୍ଥାତ୍ 1866 ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । କୁହାଯାଏ, ଏ ଦୁର୍ଭିକ୍ଷ ଏତେ ଭୟାବହ ଥିଲା ଯେ ଏଥିରେ ତତ୍କାଳୀନ ଓଡ଼ିଶାର ଏକ-ତୃତୀୟାଂଶ ଜନସଂଖ୍ୟା ଲୋପ ପାଇଯାଇଥିଲା । ଏଭଳି ସମୟରେ ସମାଜ ଦୋ’ ଛକିରେ ଥିବା ବେଳେ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା ଓଡ଼ିଆ ଜାତିର ସାହାସକୁ ଦର୍ଶାଉଛି । ତେବେ 1866 ମସିହାର ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ଅବସ୍ଥାରେ ଯେଉଁ ସମସ୍ୟା ଓଡ଼ିଆ ଜାତିର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଆଜି ଓଡ଼ିଆ ସ୍ୱାଭିମାନର ମେରୁଦଣ୍ଡ ବି ସେହି ଅବସ୍ଥାରେ ଅଛି । ତେଣୁ 1869ରେ ପ୍ରତିଷ୍ଠିତ ରେଭେନ୍ସା ବାଳିକା ବିଦ୍ୟାଳୟର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ଆଜି ଆଉ ଥରେ ଓଡ଼ିଆ ମାନଙ୍କୁ ଏକାଠି ହେବା ପାଇଁ ପଡିବ ଓ 2036 ସୁଦ୍ଧା ଆମ ରାଜ୍ୟ ଓଡ଼ିଶାର ହୃତଗୌରବକୁ ଫେରାଇ ଆଣିବାର ବଜ୍ର ଶପଥ ନେବା ପାଇଁ ପଡିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ହଜାର ହଜାର ବର୍ଷର ସହର କଟକର ଚିନ୍ତା ବାଇମୁଣ୍ଡି କରିଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ସମାଜ’ ହେଉ କିମ୍ବା ଉତ୍କଳ କେଶରୀ ଡକ୍ଟର ମହତାବଙ୍କ ‘ପ୍ରଜାତନ୍ତ୍ର’ – ଓଡ଼ିଆ ଭାଷା ଆନ୍ଦୋଳନ ଠାରୁ ଓଡ଼ିଆ ନବଜାଗରଣ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ କଟକରୁ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରିକା ଗୁଡ଼ିକର ଅବଦାନ ଅନେକ ରହିଛି । ତେବେ ଦିନେ ଓଡ଼ିଶାରେ ନବଜାଗରଣର ବହ୍ନି ଜଳାଇଥିବା ଖବର କାଗଜରେ ଆଜି ଦିନରେ କିଏ ଜଣେ ନିର୍ବାଚନ ଲଢ଼ିବ କି ନାହିଁ ହେଡଲାଇନ ହେବା, ଓଡିଶାରେପ୍ରସଙ୍ଗ ହେବା ଉଚିତ୍ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଏହି ଭୂମିରେ ପାଳନ ହେଉଥିବା ବାଲିଯାତ୍ରା ଓଡ଼ିଆ ଜାତିର ପୁରୁଷାର୍ଥର ବଡ଼ ପରିଚୟ ଦେଉଛି । ବାଲିଯାତ୍ରା ଭଳି ଓଡ଼ିଶାର ଅନେକ ପର୍ବପର୍ବଣୀ ପରିପୂର୍ଣ୍ଣ, ସ୍ୱୟଂସମ୍ପୂର୍ଣ୍ଣ । ଏଥିପାଇଁ ଏହାର କୌଣସି ପରିଚୟ କିମ୍ବା ମାନ୍ୟତା ଦରକାର ନାହିଁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ରେଭେନ୍ସା ବାଳିକା ବିଦ୍ୟାଳୟ ‘ରେଭେନ୍ସା’ ନାମରେ କାହିଁକି ନାମିତ ? ଓଡ଼ିଆ ଜାତି ପାଇଁ କୁଳବୃଦ୍ଧ ମଧୁବାବୁ, ପଣ୍ଡିତ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ରାଧାନାଥ ରାୟ ବଡ ହେବେ ନା ପରାଧୀନତାର ପ୍ରତୀକ ବଡ ହେବ ? ଏହାକୁ ସମାଜ ବିଚାର କରିବାର ଆବଶ୍ୟକତା ରହିଛି । ଏକବିଂଶ ଶତାବ୍ଦୀରେ ଓଡ଼ିଆ ସ୍ୱାଭିମାନ, ଓଡ଼ିଆ ଅସ୍ମିତା ଆଜି କେଉଁ ଜାଗାରେ ଅଛି, ଆମେ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର ।

ପୁରୀ ଶ୍ରୀମନ୍ଦିର ଓ ମାଆ କଟକ ଚଣ୍ଡିଙ୍କ ପରି ରେଭେନ୍ସା ବାଳିକା ସ୍କୁଲ ଏକ ପବିତ୍ର ଅନୁଷ୍ଠାନ । ଏକବିଂଶ ଶତାବ୍ଦୀରେ ଆଜି ଏହି ସ୍କୁଲକୁ ଆଧାର କରି ଓଡ଼ିଶାର ସ୍ଥାନ ନାରୀ ଶିକ୍ଷାରେ କଣ ଥିଲା, ତାହା ଉପରେ ଗବେଷଣା କରିବାର ଆବଶ୍ୟକତା ରହିଛି । ଏହାକୁ ଆଗାମୀ ଦିନରେ ଆଇସିଏଚଆର ସହଯୋଗରେ ମ୍ୟୁଜିୟମର ରୂପ ଦେବା ପାଇଁ ଉଦ୍ୟମ ହେବ । ସେହିପରି ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ବେଳେ 2036ରେ ଓ ଦେଶ ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି 2047ରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।


ସେୟାର କରନ୍ତୁ