କୁମାର ପୂର୍ଣ୍ଣମା : ଚନ୍ଦ୍ରଗ୍ରହଣ ହେତୁ ସମସ୍ତ ପୂଜାବିଧି ଆଗୁଆ ସରିଛି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ଏହି ଦିନ ଭଲ ଜୀବନ ସାଥୀ ପାଇବାକୁ କୁମାରୀମାନେ ଚାନ୍ଦ ପୂଜା କରିଥାନ୍ତି । ମା’ ଗଜଲକ୍ଷ୍ମୀଙ୍କ ଆବାହନ ସାଙ୍ଗକୁ କୁଆର ପୁନେଇଁ ପୂଜାର୍ଚ୍ଚନା ପାଇଁ ବେଶ୍ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ସମେତ ଗାଁ ଗହଳି ଓ ପୁର ପଲ୍ଲୀ । ଏହି ପୂଜାରେ ବିଶେଷ ଆକର୍ଷଣୀୟ ହୋଇଥାଏ ଗୀତ ସାଙ୍ଗକୁ କୁମାରୀମାନଙ୍କର ପୁଚି ଖେଳ । ଏହାକୁ ଜନ୍ହହି ଓଷା ବୋଲି ମଧ୍ୟ କୁହାଯାଇଥାଏ ।

ଗାଁ ଗହଳି ଭଳି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର ଝିଅମାନଙ୍କ ମନରେ ଏହି ପର୍ବକୁ ନେଇ ବେଶ୍ ଉତ୍ସାହ । ଗାଁ ପରି ଏଠାରେ ଦଳ ଦଳ ହୋଇ ଝିଅମାନେ ତୁଳସୀ ଚଉଁରା ମୂଳକୁ ଯିବା ସମ୍ଭବ ହେଉ ନ ଥିଲେ ବି ଘରେ ଘରେ ଏହି ପରମ୍ପରାକୁ ଧରି ରଖିବାର ପ୍ରୟାସରେ ଆଦୌ ହେଳା କରୁ ନାହାନ୍ତି ।

ପରମ୍ପରା ଅନୁଯାୟୀ କୁମାର ପୂର୍ଣ୍ଣିମାରେ ଏକ ମାସ ଧରି ଚାଲିଥିବା ମାନସିକ ଜହ୍ନି ଓଷା ଶେଷ ହେଉଛି । କୁମାରୀମାନେ ନୂଆ ଲୁଗା ପିନ୍ଧି ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକନ୍ତି । ଚଉଁରା ମୂଳ ଲିପାପୋଛା କରି ମୁରୁଜ ପକାଇବା ସହ ବିଭିର୍ନ ପ୍ରକାର ଫୁଲ ଦ୍ୱାରା ସଜାଇ ପୂଜାର୍ଚ୍ଚନା କରନ୍ତି । ଖଇ, ଗୁଆ, କଦଳୀ, ନଡ଼ିଆ, କାକୁଡ଼ି, ଜହ୍ନି ଫୁଲ ଓ ଆଖୁ ଆଦି ନେଇ ଆଞ୍ଜୁଳି ଟେକିଥାନ୍ତି । ବିଶେଷ କରି ଏହି ଦିନ କାର୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ଜୀବନସାଥୀ ମିଳେ ବୋଲି କୁହାଯାଏ ।

ସୂଚନା ଥାଉକି, ଏଥର କିନ୍ତୁ କୁମାର ପୂର୍ଣ୍ଣିମାରେ ପଡିଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଗ୍ରହଣର ଅବଧି 1 ଘଣ୍ଟା 19 ମିନିଟ୍‌ 7 ସେକେଣ୍ଡ୍‌ । ଗ୍ରହଣ ସ୍ପର୍ଶର 9 ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ 4ଟାରୁ ପାକତ୍ୟାଗ ସହ ଦେବ ନୀତି ନିଷେଧ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୂଜାଗୁଡିକର ସମସ୍ତ ନୀତିକାନ୍ତି ଆଗୁଆ ସରାଯାଇଛି ।


ସେୟାର କରନ୍ତୁ