ଆଜି ହେଉଛି ଆଲୋକର ପର୍ବ ଦୀପାବଳି, ବଡ଼ବଡ଼ୁଆ ଅନ୍ଧାରରେ ଆସି ଆଲୁଅରେ ଯିବେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ବଡ଼ବଡ଼ୁଆ ଅନ୍ଧାରରେ ଆସି ଆଲୁଅରେ ଯିବେ । ଏହି ବର୍ଷ ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ପୟାଶ୍ରାଦ୍ଧ ସହ ବଡ଼ବଡ଼ୁଆ ଡକାଯିବ । ଏହି ଦିନ ମା କାଳୀଙ୍କର ପୂଜାଅର୍ଚନା ମଧ୍ୟ ହେବ । ବିଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ଫିକା ପଡିଥିବା ଦୀପାବଳି ଏବର୍ଷ ବେଶ୍ ଧୁମ ଧାମରେ ପାଳନ ହେବ । ଆଜି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ ଦେବା ସହ ବଡବଡୁଆ ଡାକିବେ ।

ଦୀପାବଳୀରେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେହିପରି ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି । ବିନ୍ଦୁ ସାଗରରେ ମଧ୍ୟ ପୟା ଶ୍ରାଦ୍ଧ ପାଇଁ ଲୋକଙ୍କ ଭିଡ଼ ଜମିଛି । ସେପଟେ ବାଣ ବଜାରରେ ଗତକାଲି ଦିନତମାମ ଗ୍ରାହକଙ୍କ ଗହଳି ଲାଗିଥିବା ଦେଖାଯାଇଥିଲା ।

ତେବେ ଟୁଇନ୍ ସିଟିରେ ମାତ୍ର 2 ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ଲୋକେ ରାତି 8ଟାରୁ 10 ମଧ୍ୟରେ ବାଣ ଫୁଟାଇ ପାରିବେ । 25 ଡେସିବଲ୍ ରୁ ଅଧିକ ଶଦ୍ଦ କରୁଥିବା ବାଣ ଫୁଟାଇବା ଉପରେ ରୋକ୍ ଲାଗିଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏବର୍ଷ ତାଳ ଫୋଟକା ଝୁରଝୁରି, ରକେଟ, ଧପଧପି, କୁମ୍ପି, ଲଙ୍କାବାଣ ଦର ଗତ ବର୍ଷ ତୁଳନାରେ ଅଧିକ ରହିଛି ।

ଘର ସଜାଇବାକୁ ଲୋକେ ଦୀପ, ତେଲ, କ୍ୟାଣ୍ଡେଲ, ଲିଚୁ ମଧ୍ୟ ବଜାରରୁ କିଣି ଘରକୁ ନେଉଛନ୍ତି । ସେହିପରି ଆଜି କାଳୀପୂଜା । କଟକରେ 90ଟି ମଣ୍ଡପରେ ପୂଜା ପାଇବେ ମା କାଳୀ । ଆଜିଠୁ ମା’ଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା 28ରେ ବିସର୍ଜନ ହେବ । ସେହିପରି ପୁରୀର ପ୍ରସିଦ୍ଧ ମା ଦକ୍ଷିଣକାଳୀ., ଶ୍ୟାମାକାଳୀ ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରିତିନୀତିରେ ପୂଜା ହେବ । ମା ଶ୍ୟାମାକାଳୀଙ୍କ ମହାକାଳୀ ବେଶ ସହ 21 ଅଖଣ୍ଡ ଦୀପ, ଆମିଷ ଓ ଶଙ୍ଖୁଡ଼ି ଭୋଗ କରାଯିବ ।


ସେୟାର କରନ୍ତୁ