ପଚାଶରୁ ଅଧିକ ବର୍ଷର ବସ୍ତି, କିନ୍ତୁ ଆଜିଯାଏ ହୋଇପାରିଲା ନାହିଁ ଗୋଟିଏ ରାସ୍ତା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଦେଶ ଚଳିତ ବର୍ଷ ତାର 76 ତମ ସ୍ୱାଧୀନତା ଦିବସ ପାଳନ କରିବ । ଏବେ ମଧ୍ୟ ଏମିତି ଜାଗା ଅଛି, ଯେଉଁଠି ସରକାର ଠିକ ଭାବରେ ପହଞ୍ଚି ପାରିନାହାଁନ୍ତି । ସରକାର ଏଠି ବିକାଶର କଥା କୁହନ୍ତି, କିନ୍ତୁ ଏଯାଏଁ ବିକାଶ ସେମାନଙ୍କ ଠାରୁ ବହୁ ଦୂରରେ । ଏଠି ତ ସମସ୍ୟା ଅନେକ କିନ୍ତୁ ଅନେକ ମୌଳିକ ସମସ୍ୟା ଭିତରୁ ଗମନାଗମନ ନିମିତ୍ତ ମୁଖ୍ୟ ସମସ୍ୟା ହେଉଛି ସେମାନଙ୍କ ପାଇଁ ଗୋଟିଏ ରାସ୍ତା ।

ତେବେ ଆଜି ଆମେ ଯେଉଁ ବସ୍ତିର କଥା ଉପସ୍ଥାପନ କରୁଛୁ ସେ ହେଉଅଛି, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖମ୍ବ ଗ୍ରାମପଞ୍ଚାୟତର କାମର୍ଦା କୋଲ୍ହସାହି (ୱାର୍ଡ ନମ୍ବର-11) । ଏଠାରେ ରହୁଛନ୍ତି 54ଟି ପରିବାର । ଏଠାକାର ଲୋକସଂଖ୍ୟା ପ୍ରାୟ 237ରୁ ଅଧିକ ହେବ । ଗ୍ରାମର ଚାରି ପାଖରେ ଘେରି ରହିଛି ପାହାଡ଼ ବେଷ୍ଟିତ ଘଞ୍ଚ ଜଙ୍ଗଲ । ଗ୍ରାମରେ ପ୍ରାଥମିକ ବିଦ୍ୟାଳୟର ସୁବିଧା ପଞ୍ଚମ କ୍ଲାସ ପର୍ଯ୍ୟନ୍ତ ରହିଅଛି । ଏହା ପରେ ପିଲାମାନେ ପାଠ ପଢିବାକୁ ପ୍ରାୟ 2ରୁ ଅଢେ଼ଇ କିଲୋମିଟର ଦୂର କାମର୍ଦା ଗ୍ରାମକୁ ଯାଇଥାନ୍ତି ।

ତେବେ ଏଇଠି ବାସ୍ତବ ଚିତ୍ର କହିବାକୁ ଗଲେ, ଏଥିରୁ ଯାହା ଜଣା ପଡୁଛି ସେମାନଙ୍କ କହିବା ମୁତାବକ, ସମସ୍ୟା ତ ଅନେକ, କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ଯାତାୟାତ ନିମିତ୍ତ ରାସ୍ତା ଗୋଟିଏ । ଆମେ ଯଦି ରାସ୍ତାର କଥା ଆଲୋଚନାକୁ ନେବା ତେବେ ଏହି ରାସ୍ତା କାମର୍ଦା ଠାରୁ ବାହାରି ଜୟପୁରା କାଟେଣୀ ପଞ୍ଚାୟତର ଏକ ଫରେଷ୍ଟ ରୋଡରେ ମିସୁଅଛି, ଯାହା ମଝିରେ ସେମାନଙ୍କର ବସ୍ତି । ଏହି ବସ୍ତି କାମର୍ଦା ଠାରୁ 2ରୁ ଅଢେ଼ଇ କିଲୋମିଟର ଦୂର ଏବଂ ଏହା କାଟେଣୀ ଫରେଷ୍ଟ ରୋଡ ଠାରୁ ପ୍ରାୟ 1 କିଲୋମିଟରରୁ ଅଧିକ ଦୂର ହେବ । ଖରା ଦିନରେ ତ କୌଣସି ପ୍ରକାରେ ଯିବା ଆସିବା ହେଇ ଯାଉଅଛି, କିନ୍ତୁ ରାସ୍ତାକୁ ଦେଖିଲେ ଲାଗୁଛି, ବର୍ଷା ଦିନରେ ସେମାନେ କେଉଁ ଅବସ୍ଥାରେ ଯିବା ଆସିବା କରୁଥିବେ ।

ସମସ୍ୟାର ସମାଧାନ କରିବାକୁ କେବଳ ନିର୍ବାଚନ ସମୟରେ ପ୍ରତିଶୃତି ମିଳେ ସତ କିନ୍ତୁ ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହୋଇ ନଥାଏ ବୋଲି କୁହନ୍ତି ଗ୍ରାମର ଗ୍ରାମବାସୀ ବୃନ୍ଦ । ଆହୁରି ମଧ୍ୟ ଗ୍ରାମବାସୀମାନେ କ୍ଷୋଭର ସହିତ କୁହନ୍ତି ବହୁବର୍ଷ ଧରି ସେମାନେ ବିକାଶକୁ ଅନେଇ ବସିଛନ୍ତି ହେଲେ ବିକାଶ ତାଙ୍କ ଗାଁ ଲାଗି ନିଖୋଜ ।

ତେବେ ବସ୍ତିର ସନାତନ ହେମ୍ରମଙ୍କ କହିବା ଅନୁଯାୟୀ – ଆମେ ତ ଖଟିଖିଆ ମଜୁରିଆ । ବାହାରକୁ କାମ କରି ନଗଲେ ଆମର ଚୁଲି ଜଳିବ ନାହିଁ । ଆମେ ସବୁ ଦିନ ମଜୁରୀ ଖଟିବାକୁ ବାହାରକୁ ଯାଇଥାଉ, ଆଉ ରାତି ହେଲେ ଘରକୁ ଫେରୁ । ଏଠି ଆମର ସମସ୍ୟା କହିଲେ ରାସ୍ତା ଠାରୁ ଆରମ୍ଭ କରି ପାଣି, ଜଙ୍ଗଲ ମଝିରେ ଯେହେତୁ ଅଛୁ ହାତୀ ଏବଂ ଏମିତି ଅନେକ ସମସ୍ୟା ଆମ ଗାଁର ରହିଛି । କିନ୍ତୁ ଏହା ବଡ଼ ଦୁଃଖର ବିଷୟ ଯେ ପ୍ରାୟ ପଚାଶ ଷାଠିଏ ବର୍ଷର ଆମର ଏ ବସ୍ତି, ଆଜି ଯାଏ ରାସ୍ତା ଗୋଟିଏ ହୋଇ ପାରିଲା ନାହିଁ । ଆମ ଗାଁକୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଲେ ଆମ୍ବୁଲାନ୍ସ ଟିଏ ଆସିପାରୁ ନାହିଁ । ଆମର ପିଲାମାନେ କାମର୍ଦା ଗାଁକୁ ପାଠ ପଢି ଯାଉଛନ୍ତି, ଆମେ ମଧ୍ୟ ରାତି ଅଧ ପାହାନ୍ତାରେ ଘରକୁ ଫେରୁଛୁ, ଏହା ସବୁ ଏକ ବିପଦ ପୁର୍ଣ ଅବସ୍ଥାରେ । ସରକାର ଆମ କଥା ଟିକେ ଶୁଣିଲେ, ସରକାରଙ୍କର ମଙ୍ଗଳ ହେବ ।

ସେହିପରି ବସ୍ତିର ପାର୍ଲିନ ମୁଣ୍ଡାଙ୍କ କହିବା ଅନୁଯାୟୀ – ଆମ ଗାଁରେ ପିଇବା ପାଣିର ସମସ୍ୟା, ଗାଧୋଇବା ପାଇଁ ପୋଖରୀର ସୁବିଧା ଆବଶ୍ୟକ, ବିଶେଷ କରି ରାସ୍ତା ଗୋଟିଏ ଆମର ନିତ୍ୟାନ୍ତ ଜରୁରୀ । କାହିଁକି ନାଁ ଆମର ଏଠି ମିନି ଅଙ୍ଗନୱାଡି କେନ୍ଦ୍ର ଅଛି, ପିଲାମାନେ ମଧ୍ୟ ପଞ୍ଚମ ପର୍ଯ୍ୟନ୍ତ ପଢ଼ନ୍ତି, କିନ୍ତୁ ତାପରେ କାମର୍ଦା ସ୍କୁଲ୍କୁ ପାଠ ପଢିବାକୁ ଯାଆନ୍ତି । ସେଠାରୁ 2 କିଲୋମିଟରରୁ ଅଧିକ ବାଟ ଜଙ୍ଗଲ ଭିତର ଦେଇ ଯାଆନ୍ତି । ସେଥିରେ ହାତୀ ଭୟ, ଭାଲୁର ଭୟ, ଏମିତି ଅନେକ ପ୍ରକାର ଜୀବଜନ୍ତୁ ମାନଙ୍କର ଭୟ ସବୁବେଳେ ଲାଗି ରହିଥାଏ । ଏମିତିରେ ମଧ୍ୟ ମଜୁରିଆ ହୋଇଥିବାରୁ ରାତି ଅଧ ପାହାଁନ୍ତିରେ ଆମର ପ୍ରାୟ ଲୋକ ଗ୍ରାମକୁ ଫେରନ୍ତି । କାହାର ଦେହ ପା ଖରାପ ହେଲେ ଆମ୍ବୁଲାନ୍ସଟିଏ ଆସିପାରୁନାହିଁ । ତେଣୁ ଆମର ନିତ୍ୟାନ୍ତ ଏକ ରାସ୍ତାର ଆବଶ୍ୟକତା ରହିଛି ।


ସେୟାର କରନ୍ତୁ