କାମର୍ଦା : ସତୀଗାଡ଼ିଆରେ ଅଗ୍ନିକାଣ୍ଡ, ଘର ପୋଡି ଯିବାରୁ ପରିବାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କାମର୍ଦା ଗ୍ରାମର ସତୀଗାଡ଼ିଆ ସାହିରେ ସୋମବାର ସନ୍ଧ୍ୟା ସମୟରେ ଏକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ସମସ୍ତ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାକୁ ଯାଇ ପହଞ୍ଚି ପାରି ନଥିଲା, କାରଣ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି । ତେବେ କାମର୍ଦା ଗ୍ରାମରୁ କିଛି ମୋଟର ସାଇକେଲ ଜରିଆରେ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲା ।

ଖବର ଅନୁଯାୟୀ, ସୋମବାର ସନ୍ଧ୍ୟାରେ କାମର୍ଦାର ସତୀଗାଡ଼ିଆ ସାହିର ବାବୁଲି ପୁର୍ତ୍ତିଙ୍କ ଘରେ ନିଆଁ ଲାଗିଥିଲା । ହେଲେ ନିଆଁର ଦାଉରେ ଏହି ପରିବାରର ସମସ୍ତ ଧାନ, ଚାଉଳ ଓ ଅନ୍ୟାନ୍ୟ ଜିନିଷ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁରେ କୌଣସି ଲୋକଙ୍କର ଜୀବନ ପ୍ରତି ବିପଦ ହୋଇନାହିଁ ।

ସୂଚନା ଥାଉ କି, ବାବୁଲି ପୁର୍ତ୍ତିଙ୍କ ସାହା ଭରଷା ଥିବା ଏହି ଚାଳ ଘରେ ତାଙ୍କର ପରିବାର ସହିତ ରହୁଥିଲେ । ଘର ପୋଡି ଯିବାରୁ ତାଙ୍କ ପରିବାରର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି । ତାଙ୍କର 4 ଝିଅ, ସେ ଏବଂ ତାଙ୍କର ସ୍ତ୍ରୀକୁ ମିଶାଇ ପରିବାର ସଂଖ୍ୟା ହେଉଛି 6 ଜଣ । ଏଇଠି କହିବା କି ତାଙ୍କର ବଡ଼ ଝିଅ ଲକ୍ଷ୍ମୀ ପୁର୍ତ୍ତି (ବୟସ 12) ସେ ଜଣେ ପଙ୍ଗୁ ( ଗୋଟିଏ ଜାଗାରେ ବସି ରହୁଛନ୍ତି ) । ସରକାରଙ୍କ ବ୍ୟବସ୍ଥା ମୁତାବକ ଏହି ଝିଅ ଭତ୍ତା ବାବଦକୁ 500 ଟଙ୍କା ପାଉଛନ୍ତି, କିନ୍ତୁ ସ୍ୱତନ୍ତ୍ର ଭାବରେ ଚାଉଳ ଓ ଗହମର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରିନାହିଁ ।

ଅନ୍ୟ ପକ୍ଷରେ କହିବାକୁ ଗଲେ, ଏହି ସାହିରେ 13ଟି ପରିବାର ବସବାସ କରୁଛନ୍ତି । ଯେଉଁ ମାନଙ୍କର ଲୋକ ସଂଖ୍ୟା ସେମାନଙ୍କ କହିବା ମୁତାବକ, ପ୍ରାୟ 80ରୁ ଅଧିକ ହେବେ । ଏଠାକୁ ଯିବା ଆସିବା ପାଇଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ । ଏଠାରୁ ପ୍ରାୟ 25 ଜଣ ପିଲା କାମର୍ଦା ଗ୍ରାମକୁ ପଢିବାକୁ ଆସନ୍ତି ।


ସେୟାର କରନ୍ତୁ