ବିଜେଡ଼ି ପ୍ରତିଷ୍ଠା ଦିବସ: ନବୀନ କହିଲେ- ମହିଳାଙ୍କୁ 33% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରାଯିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ବିଜେଡିର ଆଜି ହେଉଛି 24ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ 24 ବର୍ଷ ତଳେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଏଥି ପାଇଁ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆୟୋଜନ ହୋଇଥିଲା । ଏହି ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ସେ କହିଥିଲେ କି ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ ଓ ଦେଶ ଆଗେଇବ । ରାଜ୍ୟର 80 ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସଶକ୍ତ ସଂଗଠନ ସଶକ୍ତ ରାଜ୍ୟ ଗଠନ କରିପାରିବ । ମହିଳାଙ୍କୁ ହକ୍‌ ମିଳିବା ଦରକାର । ମହିଳା ସଶକ୍ତିକରଣ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି କହିଥିଲେ ନବୀନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି 50 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ଏପରିକି 2019 ଲୋକସଭା ନିର୍ବାଚନରେ 33 ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି । କିନ୍ତୁ ଜାତୀୟ ଦଳମାନେ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ କଥା କହିଥାନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସବୁ କିଛି ଭୁଲି ଯାଆନ୍ତି । ନବୀନ ଏଭଳି କହି ଜାତୀୟ ଦଳମାନଙ୍କର ମହିଳାଙ୍କ ଉପରେ ଫୋକସ ନ ଥିବା ବାର୍ତ୍ତା ଦେଇଛନ୍ତି ।

ସେ କହିଛନ୍ତି ଯେ, ବିଜେଡି ଆଞ୍ଚଳିକ ଦଳ ହେଲେ ମଧ୍ୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ 33% ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିବ । ବିଧାନସଭା, ରାଜ୍ୟସଭା ଓ ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳକୁ ମନେପକାଇଦେବ । ବିଜେଡ଼ି ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢେଇ ଜାରି ରଖିବ ।


ସେୟାର କରନ୍ତୁ