ନୂତନ କୃଷି କାନୁନକୁ ନେଇ ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ: ଆଜି ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଆୟୋଜିତ ବିଶାଳ କୃଷକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ କୃଷି ଆଇନର ଲାଭ ସଂପର୍କରେ ଢେଙ୍କାନାଳରେ ଚାଷୀଙ୍କୁ ଉଦବୋଧନ ଦେଇ ବୁଝାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଚାଷୀଙ୍କ ଖାତାକୁ 18 ହଜାର କୋଟି ଟଙ୍କା ପଠେଇଛନ୍ତି । କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ମୋଦି 3ଟି ଆଇନ ଆଣିଛନ୍ତି । ଏହା ଦ୍ୱାରା ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ଆରମ୍ଭ କରିସାରିଛନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ନୂଆ କୃଷି ଆଇନ ଚାଷୀମାନଙ୍କ ଆମଦାନୀ ଓ ଆତ୍ମନିର୍ଭରଶୀଳତା ବଢ଼ାଇବ ।

ଏହାକୁ ନେଇ ଚାଷୀଙ୍କ ମନରେ ଅଯଥା ଡର, ଭ୍ରମ ତିଆରି କରାଯାଉଛି । ଚାଷୀଙ୍କ ଜମି ବଡ଼ କଂପାନୀ କିଣିନେବେ ବୋଲି ଭ୍ରମିତ କରାଯାଉଛି । ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦିଆଯିବ ବୋଲି ଭ୍ରମିତ କରାଯାଉଛି । କଂଗ୍ରେସ ସମାଲୋଚନା କରୁଛି, ଶାସକ ଦଳ ଟିକେ ନଖ ଘଷି ଦେଉଛି । କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି । 13-14ରେ ଧାନ MSP ଥିଲା 1310, ଏବେ 1815 ଟଙ୍କା ହୋଇଛି । MSP ଟଙ୍କା ଦେବେ ମୋଦି, ଆଉ ଏଠି ରାଜ୍ୟରେ ଦଳୀୟ କର୍ମୀଙ୍କୁ ଦିଆଯିବ ଟୋକନ । କେନ୍ଦ୍ର ଟଙ୍କା ଦେଲେ ବି ଟଙ୍କା ବଣ୍ଟା ହେଉଛି ଦଳୀୟ ଆଧାରରେ । ଏଠି ରାଜ୍ୟ ସରକାର ମିଲରମାନଙ୍କ ସହ ମଧୁଚନ୍ଦ୍ରିକାରେ ମାତିଛନ୍ତି । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ଆହୁରି ମଧ୍ୟ କୃଷି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ କାଳିଆ ନାଁରେ ଧୁଆଁବାଣ କରିଥିଲେ ରାଜ୍ୟ ସରକାର । ଚାଷୀଙ୍କ ନାଁରେ ଠକିଲେ ଫଳ ଭୋଗିବା ନିଶ୍ଚିତ । କିଷାନ ସମ୍ମାନ ନିଧି ସମେତ ତିନୋଟି ଯୋଜନାରେ କେନ୍ଦ୍ରରୁ 60 ହଜାର କୋଟି ରାଜ୍ୟକୁ ମିଳିଛି । ଗତ ଦୁଇ ବର୍ଷ ମଧ୍ୟରେ ଟଙ୍କା ମୋଦି ସରକାର ପଠେଇଛନ୍ତି । କେନ୍ଦ୍ରରୁ ଟଙ୍କା ଆସୁଛି, ରାଜ୍ୟରେ ହଡପ ହେଉଛି । କ’ଣ ପାଇଁ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ସହାୟତାରୁ ବଞ୍ଚିତ କରାଯାଉଛି । କଣ ପାଇଁ ପିଏମ୍ କିଷାନ ଚାଷୀ ତାଲିକା ଦେଉନି ରାଜ୍ୟ । ଏହି ଭଳି ଅନେକ ପ୍ରଶ୍ନ ପଚାରି ରାଜ୍ୟର ଶାସକ ଦଳକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


ସେୟାର କରନ୍ତୁ