ଓଡ଼ିଶାରେ କରୋନା ଭାଇରସ ପଜିଟିଭ 39ରେ ପହଞ୍ଚିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଏବେ କରୋନା ଭାଇରସ ତାର କାୟା ବିସ୍ତାର କରିଚାଲୁଅଛି । ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ 2ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି 16 ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । ରବିବାର ରାତିରେ ଟୁଇଟ୍ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 32ରେ ପହଞ୍ଚିଛି । ଏହି 16ଜଣଙ୍କ ମଧ୍ୟରୁ 15 ଜଣ କେବେଳ ବମିଖାଲର ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ଫଳରେ ବମିଖାଲ ଅଞ୍ଚଳରୁ ସମୁଦାୟ 19ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସିଲ୍ ହୋଇଥିବା ବମିଖାଲ୍ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି । ଏହାପରେ ବମିଖାଲ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ସଂଦିଗ୍ଧଙ୍କୁ ଆଇସୋଲେସନରେ ରଖାଯିବାର ଯୋଜନା କରାଯାଇଅଛି ଏବଂ ଏହା ସହ ସେମାନଙ୍କର ସ୍ବାବ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି । ଏଥିସହ ଭୁବନେଶ୍ବରର ନାଗରିକମାନଙ୍କୁ ଭୟ ନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ରବିବାର ଦିନ ଆଉ ଦୁଇ ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ 70 ବର୍ଷ ବୟସ୍କ ବୃଦ୍ଧ ହୋଇଥିବାବେଳେ ସେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-2 ଅଞ୍ଚଳରେ ରହୁଛନ୍ତି । ସେ ଅଷ୍ଟ୍ରେଲିଆରୁ ଫେରିବା ପରେ ମାର୍ଚ୍ଚ 22ରୁ ଘରେ ଏକାନ୍ତବାସରେ ରହୁଥିଲେ । ତାଙ୍କ ନମୁନା ଆଜି ପଜିଟିଭ ବାହାରିଛି । ସେହିପରି ଅନ୍ୟଜଣକ ବମିଖାଲ ଅଞ୍ଚଳର ଜଣେ 29 ବର୍ଷର ଯୁବକ ବୋଲି ଜଣାପଡିଥିଲା, ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ଜଣାପଡ଼ିନାହିଁ ।


ସେୟାର କରନ୍ତୁ