65 ବର୍ଷରେ ପାଦ ରଖିଲେ ରେଖା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଓଡ଼ ଅଭିନେତ୍ରୀ ରେଖା ଆଜି 65 ବର୍ଷରେ ପାଦ ରଖିଛନ୍ତି । ଏହି ଚିରସବୁଜ ଅଭିନେତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ବଲିଉଡର ବହୁ କଳାକାର ତାଙ୍କୁ ଶୁଭେଚ୍ଛାର ସୁଅ ଛୋଟାଇଛନ୍ତି । 60 ଦଶକରୁ ନିଜର ଅଭିନୟ କରିସ୍ମାରେ ଦର୍ଶକଙ୍କ ମନ ଜିଣି ଆସିଥିବା ରେଖା ବହୁ ସଫଳ ତେଲୁଗୁ, ତାମିଲ ଓ ହିନ୍ଦୀ ଛବିରେ ନାୟିକା ଭାବେ ଉଭା ହୋଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ପ୍ରେମ ଏବଂ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ ।
ସୁଶ୍ରୀ ରେଖାଙ୍କ ଅସଲ ନାଁ ଭାନୁରେଖା ଗଣେଶନ୍ । ତାଙ୍କର ବ୍ୟକ୍ତିଗତ ଜୀବନ ପେସାଦାର ଜୀବନ ଉଭୟ ଏକ ସଂଘର୍ଷମୟ ଜୀବନ ଥିଲା । ରେଖା 1954 ଅକ୍ଟୋବର 10ରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ । ରେଖାଙ୍କ ପିତା ଜେମନି ଗଣେଶନ୍ ଜଣେ ପ୍ରସିଦ୍ଧ ତାମିଲ୍ ଅଭିନେତା ଏବଂ ମାତା ପୁଷ୍ପାବଳୀ ତେଲୁଗୁ ଅଭିନେତ୍ରୀ ଥିଲେ । ପିଲାବେଳୁ ହିଁ ବାପାଙ୍କ ଠାରୁ ଦୂରେଇ ରହୁଥିବା ରେଖା ଏକ ସାକ୍ଷାତକାରରେ କହିଥିଲେ , ମୋ ଜୀବନରେ ଫାଦର୍ ଶବ୍ଦର ଅର୍ଥ କେବଳ ଗୀର୍ଜାର ଫାଦର , ବ୍ୟକ୍ତିଗତ ଜୀବନରେ ମୁଁ ଏହି ଶବ୍ଦର ଅର୍ଥ ହିଁ ଜାଣିନାହିଁ ।
ପ୍ରଥମ ଥର 1966ରେ ତେଲୁଗୁ ସିନେମା “ରଙ୍ଗୁଲା ରତ୍ନମ୍”ରୁ ଅଭିନୟ ଆରମ୍ଭ କରିଥିବା ରେଖା ଏହି ସିନେମାରେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ରେଖା କେବେ ବି ସିନେମାରେ ଅଭିନୟ କରିବାକୁ ଚାହୁଁ ନଥିଲେ କିନ୍ତୁ ଘରର ଆର୍ଥିକ ସ୍ଥିତି ଖରାପ ହେବାରୁ ତାଙ୍କୁ ଏହି ପେସାକୁ ଆପଣାଇବାକୁ ପଡିଥିଲା । କିଛି ସାଉଥ୍ ସିନେମାରେ କାମ କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ହିନ୍ଦୀ ସିନେମାରେ ଭାଗ୍ୟ ପରୀକ୍ଷା କରିଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” 1970 ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କଲେ ଏବଂ ରାତାରାତି ଷ୍ଟାର୍ ବନି ଯାଇଥିଲେ ।


ସେୟାର କରନ୍ତୁ