ଯାତ୍ରା କଣ୍ଠଶିଳ୍ପୀଙ୍କ ଅଶ୍ଲିଳ ଭିଡିଓ ଭାଇରାଲ, ଜେଲ ଗଲେ କଳାକାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ହ୍ୱାଟ୍ସଆପ୍ ହେଉ ବା ଫେସବୁକ୍ । ସୋସାଲ ମିଡ଼ିଆ ମାଧ୍ୟମରେ ପ୍ରଥମେ ପ୍ରେମିଯୁଗଳଙ୍କ ଭିତରେ ଆରମ୍ଭ ହୁଏ ପ୍ରେମ ସମ୍ପର୍କ । ପରେ ବିବାହ ପ୍ରତିଶୃତି ଦେଇ ପ୍ରେମିକ ଜଣଙ୍କ ଯୁବତୀଙ୍କ ସହ ରଖିଥାଏ ଶାରୀରିକ ସମ୍ପର୍କ । ଉଭୟଙ୍କ ଭିତରେ ଟିକିଏ ଏପଟସେପଟ ହେଲେ ବହୁ ସମୟରେ ଏହାର ଭରପୁର ଫାଇଦା ନେଇଥାଏ ପ୍ରେମିକ ଜଣଙ୍କ । ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ବା ଫଟୋ ଉଠାଇ ପରେ ଏହାକୁ ସୋସାଲ ମିଡ଼ିଆରେ ଭାଇରାଲ କରିଥାଏ । ଏହି ଭାଇରାଲ ଟ୍ରେଣ୍ଡ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ବାରମ୍ବାର ପୁଲିସ ପକ୍ଷରୁ ସତର୍କତା ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଏହାକୁ କାହାରି ଟିକିଏ ବି ଖାତିର ନାହିଁ । ତିନି ଦିନ ତଳେ ଭୁବନେଶ୍ୱରରେ ଏକ ଯୁବତୀଙ୍କ ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ପୁଣି ଯାତ୍ରାପାର୍ଟିରେ କାମ କରୁଥିବା ଜଣେ କଣ୍ଠଶିଳ୍ପୀଙ୍କ ଭିଡିଓ ଓ ଫଟୋ ସୋସାଲ ମିଡ଼ିଆରେ ଭାଇରାଲ ହେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ନନ୍ଦନକାନନ ଥାନା ଅଚଂଳରେ । ଭାଇରାଲ କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଉକ୍ତ ଯାତ୍ରାପାର୍ଟିର ଜଣେ କଳାକାରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁରର ଦୀପକ କୁମାର ମହାନ୍ତି(୩୮) । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ସଚିଦାନନ୍ଦ ଯାତ୍ରାପାର୍ଟିରେ କଣ୍ଠଶିଳ୍ପୀ ଭାବେ ଜଣେ ଯୁବତୀ ଗୀତ ଗାଉଛନ୍ତି । ସେହି ପାର୍ଟିରେ ସାଇଡ୍ ହିରୋ ଭାବେ କାମ କରୁଥିଲେ ଦୀପକ କୁମାର ମହାନ୍ତି । ଦୁହିଁଙ୍କ ମଧ୍ୟରେ ୫ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମୟରେ ଦୁହିଁଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ଓ ଫଟୋ ଦୀପକ ରଖିଥିଲେ । କଣ୍ଠଶିଳ୍ପୀଙ୍କ ଅନ୍ୟ କୁଆଡ଼େ ବିବାହ ପରେ ଉଭୟଙ୍କ ମଧ୍ୟରେ ବିବାଦ ଘନେଇଥିଲା । କିଛି ଦିନ ତଳେ କଣ୍ଠଶିଳ୍ପୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓକୁ ଦୀପକ ଭାଇରାଲ କରିଥିଲେ । ଏନେଇ କଣ୍ଠିଶିଳ୍ପୀ ଜଣଙ୍କ ନନ୍ଦନକାନନ ଥାନାରେ ଜୁନ୍ ୧୭ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଚଢ଼ଉ କରି ଦୀପକକୁ ଗିରଫ କରିଥିଲା । ଉକ୍ତ ଘଟଣାରେ ଦୀପକଙ୍କ ଜଣେ ସାଙ୍ଗର ହାତ ଥିବାରୁ ତାକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି ।


ସେୟାର କରନ୍ତୁ