କମିଶନରେଟ ପୁଲିସର ଉଦ୍ୟମ ସଫଳ ହେଲା, ଉଦ୍ଧାର ହେଲେ ରାଜଧାନୀର ନିଖୋଜ ଦୁଇ ଶିଶୁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଇନଫୋସିଟି ଥାନା ଅଧିନ ଚିରଗୋଲଟୋଲା ବସ୍ତିର ନିଖୋଜ ଦୁଇ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଶିଶୁ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ମୁଖ୍ୟ ବେଣୁଧର ସେନାପତି । ଗତ ୧୬ ତାରିଖରେ ନିଖୋଜ ହୋଇଥିବା ଦୁଇ ଶିଶୁଙ୍କୁ ଭଦ୍ରକ ଚାଇଲ୍ଡ ଲାଇନ୍ ଉଦ୍ଧାର କରି ନିଜ ପାଖରେ ରଖିଥିବା ସେ କହିଛନ୍ତି । କମିଶନରେଟ ପୁଲିସ ପକ୍ଷରୁ ଦୁଇ ଶିଶୁ ନିଖୋଜ ହୋଇଥିବା ନେଇ ବିଭିନ୍ନ ଥାନାମାନଙ୍କରେ ପୋଷ୍ଟର ଜାରି କରିବା ସହ ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଶିଶୁଙ୍କ ଫଟୋ ଲଗାଯାଇଥିଲା । ଏଥିସହ ଯେଉଁ କୌଣସି ବ୍ୟକ୍ତି ପିଲାଙ୍କ ବିଷୟରେ ପୁଲିସକୁ ଖବର ଦେବ ତାଙ୍କୁ ୨ହଜାର ୫ଶହ ଟଙ୍କା ପୁରସ୍କୃତ କରାଯିବ ବୋଲି ପୁଲିସ କହିଥିଲା । ପୁଲିସ ପକ୍ଷରୁ ଏବଂ ଗଣମାଧ୍ୟମ ଓ ସୋସାଲ ମିଡ଼ିଆରେ ଘନଘନ ପ୍ରସାର ହେବା ପରେ ଭଦ୍ରକ ଚାଇଲ୍ଡ ଲାଇନ୍ ଚିହ୍ନଟ କରି ଦୁଇ ଶିଶୁ ଉଦ୍ଧାର ହୋଇଥିବା ଭୁବନେଶ୍ୱର ଚାଇଲ୍ଡ ଲାଇନ୍କୁ ଖବର ଦେଇଥିଲା । ପିଲାଙ୍କୁ ସେଠାରୁ ଆଣିବା ପାଇଁ ସେଠାକାର ସିଡ଼ବ୍ଲ୍ୟୁସିକୁ ଚିଠି କରାଯାଇଥିବା ଶ୍ରୀ ସେନାପତି କହିଛନ୍ତି ।

ଏଥିସହ ଦୁଇ ଶିଶୁଙ୍କୁ ସେଠାରୁ ଆଣିବା ପାଇଁ ସେମାନଙ୍କ ଅଭିଭାବକ ଓ ଇନ୍ଫୋସିଟି ଥାନାର ତଦନ୍ତକାରୀ ଅଧିକାରୀ ସୋମବାର ଭଦ୍ରକ ଯାଇଥିବା ଜଣାପଡିଛି । ଶ୍ରୀ ସେନାପତି କହିଛନ୍ତି, ୧୬ତାରିଖରେ ଦୁଇ ଶିଶୁ ଭଦ୍ରକ ଷ୍ଟେସନରେ ଏକ ଟ୍ରେନରେ କାନ୍ଦୁଥିବା ଚାଇଲ୍ଡ ଲାଇନ୍ କର୍ମଚାରୀ ଦେଖିଥିଲେ । ସେମାନେ କେଉଁଠୁ ଆସିଥିବା ପଚାରିବାରୁ କୌଣସି ସନ୍ତୋଷଜନକ ଉତର ନପାଇବାରୁ ଚାଇଲ୍ଡ ଲାଇନ୍ କର୍ମକର୍ତା ଶୁଶିଙ୍କୁ ଟ୍ରେନରୁ ଉଦ୍ଧାର କରିଥିଲେ । ଶିଶୁଙ୍କ ଭାଷା ବୁଝିନପାରିବାରୁ ଚାଇଲ୍ଡ ଲାଇନ୍ ସେମାନଙ୍କୁ ନିଜ ପାଖରେ ରଖିଥିଲେ ।

ଖାଲି ଏତିକି ନୁହେଁ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଯାହାକୁ ନେତୃତ୍ୱ ନେଇଥିଲେ ଖୋଦ୍ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଏହାଛଡ଼ା ଇନ୍ଫୋସିଟି ଥାନା ଅଧିକାରୀ ବିଜୟିନୀ ସିଂଙ୍କ ପକ୍ଷରୁ ଏକ ଟିମ୍ ସ୍ଥାନୀୟ ଅଚଂଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ଜଣାପଡିଛି ।

ତେବେ ଏଠି ପ୍ରଶ୍ନ ଦୁଇ ଶିଶୁଙ୍କୁ ଭଦ୍ରକ ଷ୍ଟେସନରୁ ଉଦ୍ଧାର ତ କରାଗଲା । ହେଲେ ସେମାନଙ୍କୁ ଭୁବନେଶ୍ୱରରୁ ଟ୍ରେନ ଯୋଗେ ଭଦ୍ରକ ନେଲା କିଏ? ଏଥିରେ କୌଣସି ପିଲା ଚୋରର ହାତ ନାହିଁ ତ? ରାଜ୍ୟରେ ପିଲା ଚୋରି ର୍ୟାକେଟ କାର୍ଯ୍ୟ କରୁଛି କି? ଏସବୁ ଦିଗରେ ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୧୬ ତାରିଖ ଶେଷ ରଜ ଦିନ ଚିରଗୋଲଟୋଲା ବସ୍ତିର ଦୁଇ ଶିଶୁ ରାଜା ସୋରେନ ଓ ଦେବଜାନୀ ହେମ୍ବ୍ରମ ପାଖ ପଡିଆକୁ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକେ ପିଲାମାନଙ୍କୁ ନପାଇବାରୁ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।


ସେୟାର କରନ୍ତୁ