ଆହୁରି ସପ୍ତାହେ ପର୍ଯ୍ୟନ୍ତ ତାତି, ଭାଜି ହେବେ ରାଜ୍ୟବାସୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆହୁରି ପ୍ରାୟ ସପ୍ତାହେ ଏମିତି ଛଟପଟ କରିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବର୍ତ୍ତମାନ ତାତିରୁ ନିସ୍ତାର ନାହିଁ । ଉପକୂଳ ଯେମିତି ସିଝୁଛି ସେମିତି ସିଝିବ । ଆଭ୍ୟନ୍ତରୀଣ ଓଡ଼ିଶା ଆହୁରି ତତାଇବ । ମେ’ ପହିଲା ଯାଏଁ ଗ୍ରୀଷ୍ମର ଏଭଳି ଭୟାନକ ପ୍ରକୋପ ଦେଖିବାକୁ ମିଳିବ । ବର୍ଷା ହେବାର ସେମିତି କିଛି ବଡ଼ ଆଶା ନାହିଁ । କାଳବୈଶାଖୀ ହେଲେ ବି କାଁ ଭାଁ ହେବ ଓ ସ୍ୱଳ୍ପ ବର୍ଷା କରାଇବ ।

ପୂର୍ବାନୁମାନଠାରୁ ବି ଭୟଙ୍କର ରୂପ ନେଲାଣି ଗ୍ରୀଷ୍ମ ପ୍ରବାହ । ରବିବାର ଖରାର ପ୍ରକୋପ ଆହୁରି ବଢ଼ିଯାଇଥିଲା । 28 ସହରରେ ତାତି 40 ଡିଗ୍ରୀ ପାର୍‌ କରିଲା । 8ଟି ସ୍ଥାନରେ 42 ଡେଇଁଗଲା ପାରଦ । ସୋନପୁର ତାପମାତ୍ରା 43.8, ଭୁବନେଶ୍ୱର 43.3, ଅନୁଗୁଳ 43.1, ତାଳଚେର 43 ଡିଗ୍ରୀରେ ଫୁଟୁଥିଲା । 2011ରୁ ଏବେ ସୁଦ୍ଧା ଏପ୍ରିଲରେ ଆଜିକୁ ମିଶାଇ କେବଳ 3ଥର ଭୁବନେଶ୍ୱର ତାପମାତ୍ରା 43 ଡିଗ୍ରୀ ଡେଇଁଛି ।

ସାରା ଓଡ଼ିଶା ଜଳିଥିଲା ରବିବାର । ଉପକୂଳରୁ ଆଭ୍ୟନ୍ତରୀଣ, ଦକ୍ଷିଣରୁ ପଶ୍ଚିମ ସବୁଠି ଅସମ୍ଭାଳ ଗରମ ରାଜଧାନୀ ଭୁବନେଶ୍ୱର ତତଲା ତାୱାରେ ଭାଜିଲା ଭଳି ଟକଟକ ଫୁଟିଥିଲା । ସକାଳ 9ଟାରୁ ଗରମ ହାୱା ବହିବା ଆରମ୍ଭ ହୋଇଯାଇଥିଲା । ଦିନ 11ଟାବେଳକୁ ସ୍ଥିତି ଅସମ୍ଭାଳ । ପଦାକୁ ବାହାରିଲେ ଯେମିତି ତତଲା ପ୍ରହାର ବାଜୁଥିଲା ଦେହ ହାତରେ । ମୁହଁ, ହାତ, ପାଦ ଜଳିଲା ଭଳିଲା ଲାଗୁଥିଲା । ଘର ଭିତରେ ବି ରହିବା କଷ୍ଟକର ହୋଇପଡ଼ିଥିଲା । କାନ୍ଥ, ଚଟାଣ, ଛାତ ତାତି ଯାଇଥିବାବେଳେ ଟ୍ୟାପ ଖୋଲିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତତଲା ପାଣି ହିଁ ବାହାରୁଥିଲା ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳରେ ସ୍ଥିତି ଯେମିତି ଅଛି, ପ୍ରାୟତଃ ସେମିତି ରହିବ । କାଁ ଭାଁ ସାମାନ୍ୟ କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ । 26-27 ତାରିଖବେଳକୁ କେତେକ ଜାଗାରେ ତାପମାତ୍ରା 45-46 ଡିଗ୍ରୀ ଛୁଇଁପାରେ । ଉପକୂଳରେ ତାତି କମିଲେ ଗୁଳୁଗୁଳି ବଢ଼ିପାରେ । ସୋମବାର ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇପାରେ । ତେଣୁ ସକାଳ 11ଟାରୁ ଦିନ 3ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିବ। ଏପ୍ରିଲ ଶେଷ ପର୍ଯ୍ୟନ୍ତ ଉପକୂଳରେ ଓ ମେ’ 2 ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏମିତି ନିଆଁ ବର୍ଷା ତାତି ଜାରି ରହିବ । ବିସ୍ତୃତ ଅଞ୍ଚଳରେ ତାତି ଖସାଇଲା ଭଳି ବର୍ଷାର ସମ୍ଭାବନା କମ୍‌ । ସୀମିତ ଅଞ୍ଚଳରେ କାଳବୈଶାଖୀ ହୋଇପାରେ । ହେଲେ ବିଶେଷ ବର୍ଷା ହେବନି । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ପାରଦ 42-43 ଡିଗ୍ରୀ ପାଖାପାଖି ରହିପାରେ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ସୋମବାର ତାପମାତ୍ରା 43-44 ଡିଗ୍ରୀ ରହିପାରେ । 28 ଏବଂ 29 ତାରିଖବେଳକୁ ଭୟାନକ ଗ୍ରୀଷ୍ମ ପ୍ରବାହ କଲବଲ କରିପାରେ । ସେତେବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 46 ଡିଗ୍ରୀ ଛୁଇଁପାରେ । ଆସନ୍ତା ମେ’ 3 କିମ୍ବା 4 ତାରିଖବେଳକୁ ବର୍ଷା ସମ୍ଭାବନା ଦେଖାଯାଉଛି । ଏହି ବର୍ଷା ହେଲେ ହିଁ ଗରମ କିଛି ମାତ୍ରାରେ କମିବ । ସେପର୍ଯ୍ୟନ୍ତ ବିଶେଷ ନିସ୍ତାର ମିଳିବନି । ରାତି ତାପମାତ୍ରା ବି ଏବେ 26/27 ଡିଗ୍ରୀ ପାଖାପାଖି ରହୁଛି । 28ରୁ ରାତି ତାପମାତ୍ରା 28 ଡିଗ୍ରୀକୁ ବୃଦ୍ଧି ପାଇପାରେ । ଏମିତି ହେଲେ ରାତିରେ ବି ଘରେ ରହିବା ଅସହ୍ୟ ହୋଇପଡ଼ିବ ।


ସେୟାର କରନ୍ତୁ