କୁଆଖାଇ ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଉନ୍ମୟ ପାଢ଼ୀ ହତ୍ୟା ଘଟଣା ଘଟିବାର ଦୁଇ ମାସ ନପୁରୁଣୁ କୁଆଖାଇ ନଦୀ ପଠାରୁ ପୁଣି ଜଣେ ଯୁବକଙ୍କ ମୃତଦେହ ମିଳିବା କମିଶନରେଟ ପୁଲିସ ପାଇଁ ମୁଣ୍ଡା ବିନ୍ଧାର କାରଣ ପାଲଟିଛି । କାରଣ କୁଆଖାଇ ନଦୀପଠାରୁ କମିଶନରେଟ ପୁଲିସ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି । ଖବର ପାଇ ବାଲିଅନ୍ତା ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଚିଂ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖାଲି ଏତିକି ନୁହେଁ ପୁଲିସ ଘଟଣାସ୍ଥଳରୁ ଏକ କାର (ଓଡ଼ି-୦୨ଏଫ-୨୪୨୪)କୁ ଜବତ କରିଛି । ମୃତ ଯୁବକ ଜଣଙ୍କ ହେଲେ ଜଗତସିଂହପୁର ଥାନା ତିର୍ତୋଲ ଅଚଂଳର ଚନ୍ଦନ ଗୋଛାୟତ ଓରଫ ଚିନ୍ମୟ । ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି ।

ଏଥିସହ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । କାରକୁ ବାଦ ଦେଳେ ଘଟଣାସ୍ଥଳରୁ ପୁଲିସ ଗୋଟିଏ ଛୁରୀ, ବିଷ ବୋତଲ, ଆଧାର କାର୍ଡକୁ ଜବତ କରିଛି । ଅନ୍ୟପଟରେ ପରିପାର୍ଶ୍ଵିକ ସ୍ଥିତି ଓ ଚନ୍ଦନର ହାତରେ ଲାଗିଥିବା କ୍ଷତ ଚିହ୍ନରୁ ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।

ପୁଲିସ ସୂଚନା ଅନୁଯାୟୀ, ଚନ୍ଦନ ଗୋଛାୟତ ପତ୍ନୀଙ୍କ ସହ ବଡ଼ଗଡ଼ ଥାନା ସୁନ୍ଦରସାହିରେ ଭଡାରେ ରହୁଥିଲେ । ଉକ୍ତ ଅଚଂଳରେ ଥିବା ଏକ ଟ୍ରାଭେଲ୍ସର ଗାଡି ଚଲାନ୍ତି ଚନ୍ଦନ । ଦୁଇ ବର୍ଷ ତଳେ ସେ ପ୍ରେମ ବିବାହ କରିଥିବାରୁ ଏହାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଘରେ ଚନ୍ଦନ ଗୋଟିଏ ପୁଅ ହୋଇଥିବାରୁ ପରିବାର ଲୋକେ ତାଙ୍କ ବିବାହକୁ ବିରୋଧ କରିଥିଲେ । ତେଣୁ ସେ ରାଗରେ ଗାଁ ଛାଡି ଭୁବନେଶ୍ୱର ଚାଲିଆସିଥିଲେ ।

ଗତ କିଛି ଦିନହେବ କୌଣସି ଏକ କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା । ସୋମବାର ଦମ୍ପତି ଦ୍ୱୟ କଳି ଲାଗିବାରୁ ଚନ୍ଦନ ରାତିରେ ଆଉ ଘରକୁ ଫେରି ନଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପତ୍ନୀ ଚନ୍ଦନଙ୍କୁ ଅପେକ୍ଷା କରିଥିଲେ ସୁଧା ସେ ଘରକୁ ନଫେରିବାରୁ ଆଜି ସକାଳେ ବାଲିଅନ୍ତା ଥାନାକୁ ଜଣାଇଥିଲେ ।

ଗାଡ଼ଖୁଣ୍ଟୁଣୀଆ ନିକଟସ୍ଥ କୁଆଖାଇ ନଦୀପଠାରେ ଏକ କାର ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସନ୍ଦେହ ହେବାରୁ ଲୋକେ କାର ନିକଟକୁ ଯାଇଥିଲେ । କିଛି ଦୂରରେ ଜଣେ ଯୁବକ ବାଲିରେ ମୁହଁମାଡି ମରି ପଡିଥିବା ଦେଖିଥିଲେ । ଏନେଇ ସେମାନେ ବାଲିଅନ୍ତା ଥାନାକୁ ଖବର ଦେଇଥିଲେ । ସାଇଁଟିଫିକ୍ ଟିମ ଓ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ମୃତଦେହକୁ ଜବତ କରିଥିଲେ । ପୁଲିସ କାର ଭିତରୁ ଗୋଟିଏ ମନିପର୍ସ, ପାଣି ପାଉଚ, ଚାବି, ଛୁରୀ, ଆଧାରକାର୍ଡକୁ ଜବତ କରିଥିଲା । ମୃତ ଚନ୍ଦନଙ୍କ ହାତ କଟାଯାଇଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ମତ ରଖିଛନ୍ତି । କିନ୍ତୁ ପ୍ରାଥମିକ ତଦନ୍ତରେ ପୁଲିସ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଇଛି ।


ସେୟାର କରନ୍ତୁ