ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣା: ବିଜେପି ତରଫରୁ କ୍ୟାପିଟାଲ ଥାନାରେ ଏତଲା ଦାୟର

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣା ମହାପ୍ରଭୁଙ୍କ ବହୁମୂଲ୍ୟ ସ୍ୱର୍ଣ୍ଣାଳଙ୍କାର ସୁରକ୍ଷାରେ ବିପଦ ପହଂଚାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଆଇନର ପ୍ରାବଧାନ ଅନ୍ୟୁାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।

ରାଜ୍ୟ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା କଥା ନିଜେ ସ୍ୱିକାର କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ଆରଧ୍ୟ ଦେବତା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଓଡିଶା ଜାତି ଓ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଅଟେ । ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଚାବି ହଜିବା କୋଟି କୋଟି ଜନତାଙ୍କ ଭାବାବେଗକୁ କୁଠାରଘାତ କରିବା ସହ ଏକ ଗୁରୁତର ବ୍ୟବସ୍ଥାଗତ ତ୍ରୁଟିକୁ ସାମ୍ମନାକୁ ଆଣିଛି । ତେଣୁ ଏହାକୁ ଏକ ଧର୍ତବ୍ୟ ଅପରାଧ ଭାବେ ବିବେଚନା କରି ମାମଲା ରୁଜୁ କରି ପ୍ରକୃତ ଦୋଷୀକୁ ଦଣ୍ଡ ପ୍ରଦାନ କରିବାକୁ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ଦାବି ରଖିଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକ, ସୁରେଶ ଜେନା, ସନ୍ତୋଷ ଜେନା, ରଶ୍ମିରଞ୍ଜନ ମହାପାତ୍ର, ଅଭିଶେକ ଆଚାର୍ଯ୍ୟ, ପ୍ରଶାନ୍ତ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ । ଏହା ବ୍ୟତିତ ଭୁବନେଶ୍ୱର କମିଶନରରେଟ ପୋଲିସ ଅଧିନରେ ଥିବା ଅନ୍ୟ ଥାନାମାନଙ୍କରେ ମଣ୍ଡଳ ସଭାପତିଙ୍କ ମାଧ୍ୟମରେ ମଧ୍ୟ ଏତଲା ଦାୟର କରାଯାଇଥିଲା ।


ସେୟାର କରନ୍ତୁ