ବ୍ୟବସାୟୀଙ୍କୁ ହତ୍ୟା, ଦୋଷୀକୁ ଗିରଫ କରିବା ଦାବିରେ ଶବ ରଖି ରାସ୍ତାରୋକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଣି ଟାର୍ଗେଟରେ ବ୍ୟବସାୟୀ । ବଡ଼ଗଡ଼ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ଚାପଡରେ ହାଣିବା ଘଟଣା ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି । ଗୁରୁତର ଅବସ୍ଥାରେ ବ୍ୟବସାୟୀ ଜଣଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ବଡଗଡ ଅଦେଇଖାଲ ବସ୍ତିର ଲୋଚନ ଦାସ ।

ଲୋଚନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ପରିବାର ଲୋକେ ମୃତଦେହକୁ ଲୁଇସରୋଡରେ ରଖି ରାସ୍ତାରୋକ କରିଥିଲେ । ବଡଗଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଅଦେଇଖାଲ ବସ୍ତିରେ ଲୋଚନଙ୍କ ଏକ ଦୋକାନ ରହିଛି । ରବିବାର ଲୋଚନ ଓ ତାଙ୍କର ୫ଜଣ ସାଙ୍ଗ ମିଶି ବସ୍ତି ନିକଟରେ ଥିବା ଏକ ସ୍କୁଲରେ ଭୋଜିଭାତ କରୁଥିଲେ । ଖିଆପିଆ ସରିବା ପରେ ଲୋଚନ ସ୍କୁଲ ପାଚେରୀଠାରୁ କିଛି ବାଟ ଦୂରକୁ ଆସି ପରିଶ୍ରା କରୁଥିଲେ । ହଠାତ କେତେ ଜଣ ଯୁବକ ଅତର୍କିତ ଭାବେ ଆସି ଚାପଡରେ ଲୋଚନଙ୍କୁ ଆକ୍ରମଣ କରିଥିଲେ । ସେ ଜୀବନ ବିକଳରେ ଦୌଡ଼ିବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତ ତାଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ । ଲୋଚନଙ୍କ ଚିତ୍କାର ଶୁଣି ସାଙ୍ଗମାନେ ସେଠାକୁ ଦୌଡ଼ି ଆସିବା ବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତ ଲୋଚନଙ୍କ ଶବକୁ ଆଣି ବଡ଼ଗଡ଼ ଥାନା ଅଧୀନ ଲୁଇସ ରୋଡ ଉପରେ ରଖି ରାସ୍ତାରୋକ କରିଥିଲେ । ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଖାଲି ଏତିକି ନୁହେଁ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଆନ୍ଦୋଳନକାରୀ ଦାବି କରିଥିଲେ । ଦୀର୍ଘ ସମୟ ଆନ୍ଦୋଳନ ଚାଲିବା ଫଳରେ ଗାଡିମୋଟର ରାସ୍ତାରେ ଅଟକି ରହିଥିଲେ । ବହୁ ସମୟ ପର୍ଯନ୍ତ ଟ୍ରାଫିକ ସମସ୍ୟ ଉପୁଜିଥିଲା ।

ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଦୋଷୀଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି । ଏସମ୍ପର୍କରେ ଥାନା ଅଧିକାରୀ କହିଛନ୍ତି, ହତ୍ୟାକାରୀ ଚିହ୍ନଟ ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଲୋଚନ ଓ ତାଙ୍କ ଭାଇଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଯେଉଁ ଦୁର୍ବୃତ୍ତମାନେ ଲୋଚନଙ୍କୁ ଚାପୁଡରେ ହାଣିଛନ୍ତି ସେମାନେ ମଧ୍ୟ ଜଣେ ଜଣେ ହାଡକୋର କ୍ରିମିନାଲ । ପୂର୍ବ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ଥାନା ଅଧିକାରୀ କହିଛନ୍ତି ।


ସେୟାର କରନ୍ତୁ