ଆପାର୍ଟମେଣ୍ଟରେ ପସିଲେ…ଆଲମିରା ଭାଙ୍ଗିଲେ…ଲକ୍ଷାଧିକ ଟଙ୍କା,ସୁନା ଗହଣା ଲୁଟିଲେ…ଗଲେ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ପୁଣି ଲୁଟେରାଙ୍କ ଉତ୍ପାତ ଦେଖାଦେଇଛି । ଲିଙ୍ଗରାଜ ଥାନା ନିକଟସ୍ଥ ବିବେକାନନ୍ଦ ଆପାର୍ଟମେଣ୍ଟର ଏକ ଫ୍ଲାଟରୁ କିଛି ଦୁର୍ବୁତ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି । ଲୁଟେରାମାନେ ଘରେ ଥିବା ୨ଲକ୍ଷ ଟଙ୍କା, ୫ଲକ୍ଷ ଟଙ୍କାର ସୁନାଗହଣା ଓ ଆସବାବପତ୍ର ନେଇ ଚମ୍ପଟ ମାରିଛନ୍ତି । ଲୁଟର ଶୀକାର ହୋଇଥିବା ଘର ମାଲିକ ଭଦ୍ରକର ଅମିତ କୁମାର ମଲ୍ଲିକ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଚିଂ ଛାନଭିନ ଜାରି ରଖିଛି । ପୁଲିସ ସନ୍ଦେହଜନକ ଅବସ୍ଥାରେ ଥିବା ଜଣେ ଯୁବକ ଓ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ଅମିତଙ୍କର ଲିଙ୍ଗରାଜ ମାଉସି ମା’ ଛକ ନିକଟ ଆପାର୍ଟମେଣ୍ଟରେ ଫ୍ଲଟ ରହିଛି । ସେ ଅଧିକାଂଶ ସମୟରେ ଭଦ୍ରକରେ ରୁହନ୍ତି । ଭୁବନେଶ୍ୱରରେ କାମ ପଡିଲେ ପରିବାର ସହିତ ଏଠାକୁ ଆସିଥାଆନ୍ତି । ଗତ ୧୫ଦିନ ତଳେ ଅମିତ ତାଙ୍କ ପରିବାର ସହ ଭୁବନେଶ୍ୱରରୁ ଭଦ୍ରକ ଯାଇଥିଲେ । ଅମିତ ଗୁରୁବାର ଦିନ ଚୋରି ହୋଇଥିବା ଘଟଣା ଜାଣିବାକୁ ପାଇଥିଲେ । ଦୁର୍ବୃତ ଘରର ଦୁଇଟି ବେଡ଼ରୁମରେ ଥିବା ଷ୍ଟିଲ ଆଲମାରିର ତାଲା ଭାଙ୍ଗି ସେଥିରେ ଥିବା ୨ ଲକ୍ଷ ଟଙ୍କା, ୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଏବଂ କିଛି ବିଦେଶୀ ମୁଦ୍ରା ଚୋରି କରି ନେଇଛନ୍ତି ।

ଅମିତଙ୍କ କହିବା ଅନୁସାରେ ପିଲାବେଳୁ ବିଦେଶୀ ମୁଦ୍ରା ଓ ଷ୍ଟାମ୍ପ ଟିକେଟ ସଂଗ୍ରହ କରିବା ତାଙ୍କର ସଉକ ରହିଛି । ତେଣୁ ସେ ଅନେକ ଦେଶର ବିଦେଶୀ ମୁଦ୍ରାକୁ ସଂଗ୍ରହ କରି ସାଇତି ରଖିଥିଲେ । ଦୁର୍ବୃତ ସେଥିରୁ କିଛି ନେଇ ଯାଇଥିବା ବେଳେ ଆଉ କିଛି ଫୋପାଡି ଚାଲି ଯାଇଛନ୍ତି । ଅମିତ ପୁଲିସକୁ ଏହା ମଧ୍ୟ କହିଛନ୍ତି ଯେ, ସେ କେଉଁ ସମୟରେ ଭୁବନେଶ୍ୱରରେ ରୁହନ୍ତି ତାହା ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ, କ୍ଷୀରବାଲା ଓ ସୁଇପର ଆଦି ଭଲ ଭାବେ ଜାଣିଥାନ୍ତି । ନହେଲେ ଅନ୍ୟମାନେ କେହି ତାଙ୍କୁ ଜାଣିନଥାନ୍ତି । ପୁଣି ଆପାର୍ଟମେଣ୍ଟରେ ଏବେ ରଙ୍ଗ କାମ ଚାଲୁଥିବାରୁ କିଛି ବାହାର ଲୋକେ ଆସି ଆପାର୍ଟମେଣ୍ଟରେ କାମ କରୁଥିଲେ । ତେଣୁ ଏମାନଙ୍କ ମଧ୍ୟରୁ କେହି ଏଭଳି କରିଥିବା ସନ୍ଦେହ କରୁଛନ୍ତି ।

ଅନ୍ୟପକ୍ଷରେ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ଆପାର୍ଟମେଣ୍ଟରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଉକ୍ତ ଆପାର୍ଟମେଣ୍ଟରେ କୌଣସି ସିସଟିଭିି କ୍ୟାମେରା ଲାଗିନଥିବା ଜଣାପଡିଛି ।


ସେୟାର କରନ୍ତୁ