ଗଳି କନ୍ଦିରେ ବୁଲିଲା ପରୀ ରଥ, ଶିଶୁ ସୁରକ୍ଷା ନେଇ ସଚେତନର ବାର୍ତ୍ତା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱର ସହ ନେଇ ଓଡିଶା ପୁଲିସ ତତ୍ପର ହୋଇ ଉଠିଛି । ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚେଇବା ପାଇଁ ପୁଲିସ ଗଳି କନ୍ଦିରେ ‘ପରୀ ପାଇଁ କଥାଟିଏ’ ରଥ ବୁଲାଇଛି ।

ସେହିଭଳି କମିଶନରେଟ ପୁଲିସ ପକ୍ଷରୁ ସୋମବାର ଭୁବନେଶ୍ୱରରେ ପରୀ ରଥକୁ କ୍ୟାପିଟାଲ ଓ ଚନ୍ଦ୍ରଶେଖରପୁର ଜୋନରେ ବୁଳାଯାଇଛି । କ୍ୟାପିଟାଲ ଥାନା ପକ୍ଷରୁ ୟୁନିଟ-୬ କଲ୍ୟାଣ ମଣ୍ଡପରେ ପରୀ ଥର ଭ୍ରମଣ କରିଥିଲା । ସେହିପରି ମୈତ୍ରୀବିହାରର ବୀରବସା ପଡିଆରେ ରଥ ବୁଲିଥିଲା । ଜୋନ ଏସିପି ରବିସତପଥୀଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

‘ଆସ ଆମେ ଏକାଠି ହେବା ଶିଶୁ ଯୌନ ନିର୍ଯାତନା ବନ୍ଦ କରିବା’ ଭଳି ମୂଳମନ୍ତ୍ର ନେଇ ପୁଲିସ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା । ଶିଶୁ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ କଥା କହି ପାଲା, ନାଟକ ମଞ୍ଚରେ କଳାକାରମାନେ ଦର୍ଶକଙ୍କ ମନ ମୋହିଥିଲେ । ସେମାନେ ବିଭିନ୍ନ ଉଦାହରଣ ଦେଇ ଲୋକମାନଙ୍କୁ ଶିଶୁ ସୁରକ୍ଷା ଉପରେ ବୁଝାଇଥିଲେ ।

ରଥରେ ଶିଶୁ କିଏ? ଶିଶୁ ଯୌନ ନିର୍ଯାତନା କ’ଣ? ଶିଶୁ ଦୁଷ୍କର୍ମକୁ ରୋକିବା ପାଇଁ କ’ଣ ପଦକ୍ଷପ? ଶିଶୁ ଦୁଷ୍କର୍ମ ରୋକିବାରେ ଗୋଷ୍ଠୀର ଦାୟିତ୍ୱ କ’ଣ? ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ, ଅଭିଯୋଗ ପଞ୍ଜୀକରଣ ଓ ଆଇନଗତ ବିଧିବ୍ୟବସ୍ଥା ଦିଗ ଉପରେ ବହୁ ନିୟମବଳି ପୋଷ୍ଟର ଲଗାଯାଇଥିଲା । ଖାଲି ଏତିକି ନୁହେଁ ରଥରେ ଟିଭି ସାହାର୍ଯ୍ୟରେ ମଧ୍ୟ ଅନେକ ଶିଶୁ ସୁରକ୍ଷା ବିଜ୍ଞାପନ ଚାଲିଥିଲା । ଯାହା ଲୋକଙ୍କ ପାଇଁ ବିଭିନ୍ନ ସଚେତନତାର ବାର୍ତ୍ତା ଯୋଗାଇଥିଲା ।

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି, ଶିଶୁ ମଙ୍ଗଳ ସମିତିର ସଦସ୍ୟ, ୱାର୍ଡ କର୍ପୋରେଟର ଓ ପୁଲିସ ଅଧିକାରୀମାନେ ସଭାରେ ଉପସ୍ଥିତ ଥିଲେ । ଏହି ଅଭିଯାନ ରାଜ୍ୟ ବ୍ୟାପୀ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାଛଡ଼ା ଓଡିଶା ପୁଲିସ ପକ୍ଷରୁ ହେଲ୍ପ ଲାଇନ ମଧ୍ୟ ରଖାଯାଇଛି- ୧୦୦, ୧୦୯୮, ୧୮୧ ଓ ୧୦୯୧ ।


ସେୟାର କରନ୍ତୁ